ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍ ଟ୍ରସ, ଆସନ୍ତା ସୋମବାର ଫଳାଫଳ ଘୋଷଣା

ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍ ଟ୍ରସ । କଞ୍ଜରଭେଟିଭ ପାର୍ଟିର ନେତ୍ରୀ ବର୍ତ୍ତମାନ ସୁଦ୍ଧା ଆଗରେ ଥିବା ସୂଚନା ମିଳିଛି । ଶୁକ୍ରବାର ସୁଦ୍ଧା ସରିଥିବା ପୋଲିଂରେ ଲିଜ୍ ସୁବିଧାଜନକ ସ୍ଥିତିରେ ଅଛନ୍ତି । ପୂର୍ବତନ ଚାନସେଲର ରିଷି ସୁନାକଙ୍କଠାରୁ ବୈଦେଶିକ ମନ୍ତ୍ରୀ ଲିଜ୍ ଯଥେଷ୍ଟ ଆଗରେ ରହିଛନ୍ତି । ଆସନ୍ତା ସୋମବାର ଫଳାଫଳ ଘୋଷଣା ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମ ରାଣୀ ଏଲିଜେବେଥ ଘୋଷଣା କରିବେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଇସ୍ତଫା ପତ୍ର ବିଧିବଦ୍ଧ ଭାବେ ରାଣୀଙ୍କୁ ପ୍ରଦାନ କରିବେ ।

ଗତ ଅଗଷ୍ଟରୁ ଆରମ୍ଭ ହୋଇଥିବା ଭୋଟରେ ସଦସ୍ୟମାନେ ଭାଗ ନେଇଥିବାବେଳେ ପୋଷ୍ଟାଲ ଓ ଅନଲାଇନ ଭୋଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ କ୍ଷେତ୍ରରେ ଶୁଳ୍କ ହ୍ରାସ ଓ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଲିଜ୍ ।

ଦେଶରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ବିଦ୍ୟୁତ ଦର ବୃଦ୍ଧି କାରଣରୁ ବୋରିସ ଜନସନଙ୍କ ବିରୋଧର ଜନମତ ତୀବ୍ର ହୋଇଥିଲା । କୋଭିଡ କାଳରେ ପାର୍ଟି ଆୟୋଜନ କରି ବେଶ୍ ନିନ୍ଦାର ପାତ୍ର ହୋଇ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ ଜନସନ । ଆସନ୍ତା ୨୦୨୫ ଜାନୁଆରୀରେ ହେବ ବ୍ରିଟେନ ସାଧାରଣ ନିର୍ବାଚନ ।