ସକାଳ ୮ଟାରୁ ଭୋଟ ଗଣତି, ୨୭୯ ବୁଥରେ ୨୦ରାଉଣ୍ଡରେ କାଉଣ୍ଟ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ଭୋଟ୍‌ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ହେବ। ଝାରସୁଗୁଡ଼ା ଇଂଜିନିୟରିଂ କଲେଜରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି । ପ୍ରଥମେ ୩୦ମିନିଟ୍ ପୋଷ୍ଟାଲ ବାଲଟ୍ ପେପର ଗଣତି ହେବ। ପରେ ଇଭିଏମ କାଉଣ୍ଟ କରାଯିବ। ୧୪ଟି ଟେବୁଲରେ କରାଯିବ ଗଣତି । ୨୭୯ବୁଥର ଭୋଟ୍ ୨୦ରାଉଣ୍ଡରେ କାଉଣ୍ଟ ହେବ । ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିବେ ।

ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏହି ସୂଚନା ଦେଇଛନ୍ତି ।

ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଂଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି । ସମସ୍ତଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି ।