ରେସଲରଙ୍କ ଉପରେ ଦିଲ୍ଲୀ ପୋଲିସର ଜୁଲମ, ମାର୍ଚ୍ଚ ବେଳେ କୁସ୍ତିଯୋଦ୍ଧାଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ । ନୂଆ ସଂସଦ ଭବନ ଅଭିମୁଖେ ମାର୍ଚ୍ଚ ବେଳେ କୁସ୍ତିଯୋଦ୍ଧାଙ୍କୁ ପୋଲିସ ହେପାଜତକୁ ନେଇଛି । ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କୁ ପୋଲିସ ହେପାଜତକୁ ନେବା ପରେ ସେମାନେ ରାସ୍ତା ଉପରେ ବସି ବିକ୍ଷୋଭ କରିଛନ୍ତି । ମହିଳା ମହାପଞ୍ଚାୟତରେ ସାମିଲ ହେବାକୁ ଆସୁଥିବା ସମସ୍ତ ନେତାଙ୍କୁ ପୋଲିସ ଉଠାଇ ନେଇଛି ବୋଲି ଭିଡିଓ ପୋଷ୍ଟ କରି କହିଛନ୍ତି ଭିନେଶ ଫୋଗଟ । ଆଜି ରେସଲରଙ୍କ ମହିଳା ମହାପଞ୍ଚାୟତ ପାଇଁ ଦିଲ୍ଲୀ ସୀମାରେ କଡ଼ା ଚେକିଂ, ବ୍ୟାରିକେଡ ସାଙ୍ଗକୁ ଜନପଥରେ କଣ୍ଟା ପୋତିଛି ପୋଲିସ । ରେସଲରଙ୍କ ମହିଳା ସମ୍ମାନ ପଞ୍ଚାୟତ ପାଇଁ ହାଇଆଲର୍ଟରେ ଦିଲ୍ଲୀ ପୋଲିସ । ଗୋଟେ ପଟେ ନୂଆ ପାର୍ଲାମେଣ୍ଟ ହାଉସର ଉଦଘାଟନ ଆଉ ଗୋଟେ ପଟେ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା ରେସଲରଙ୍କ ପକ୍ଷରୁ ଆଜି ଆୟୋଜିତ ହେଉଛି ମହାପଞ୍ଚାୟତ ।

ଜନ୍ତରମନ୍ତରରେ ମାସେ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ଯାଏଁ ମାର୍ଚ୍ଚ କରୁଥିବା ବେଳେ କେତେଜଣ କୁସ୍ତିଯୋଦ୍ଧାଙ୍କୁ ପୋଲିସ ଉଠାଇ ନେଇଛି । କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଖାପ ପଞ୍ଚାୟତ ଓ କୃଷକ ସଂଗଠନ ସଦସ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି । ସିଂଘୁ ବର୍ଡର, ଟିକିରି ବର୍ଡର, ଗାଜିପୁର ବର୍ଡରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସବୁଗାଡ଼ିର ଚେକିଂ କରାଯାଉଛି । ଗାଜିପୁର ସୀମାରେ ୧୪୪ ଧାରା ଲାଗୁ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ପଞ୍ଜାବ, ହରିଆଣାରୁ ବିଭିନ୍ନ କୃଷକ ସଂଗଠନର ସଦସ୍ୟ ଦିଲ୍ଲୀ ସୀମାରେ ପହଞ୍ଚିଥିବା ବେଳେ ପୋଲିସ ଫୋର୍ସ ସହ ଯବାନ ମଧ୍ୟ ମୁତୟନ ହୋଇଛନ୍ତି । ସଂସଦ ଭବନ ଆଡକୁ ଯାଉଥିବା ସବୁରାସ୍ତାରେ କଡ଼ା ବ୍ୟାରିକେଡିଂ ସହ ଡ୍ରୋନ ଓ ସିସିଟିଭି ଯୋଗେ ନଜର ରଖିଛି ପୋଲିସ । ସେପଟେ ଆଜିର ମହାପଞ୍ଚାୟତରେ ସାମିଲ ହେବାକୁ ଯାଉଥିବା ଚାଷୀଙ୍କୁ ପୋଲିସ ନ ଅଟକାଇବାକୁ ଚେତାବନୀ ଦେଇଛନ୍ତି ଚାଷୀନେତା ରାକେଶ ଟିକାଏତ । ଅନ୍ୟପଟେ ପୋଲିସ ଚେକିଂ ଯୋଗୁ ଦିଲ୍ଳୀ ସୀମାରେ ଟ୍ରାଫିକ ସମସ୍ୟା ଦେଖାଯାଇଛି ।