୧୧୯ ବର୍ଷ ବୟସରେ ବିଶ୍ୱର ସବୁଠୁ ବୟସ୍କା ମହିଳାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବୟସ୍କା ମହିଳାଙ୍କ ଦେହାନ୍ତ । ୧୯୦୩ ମସିହାରେ ଜନ୍ମିତ କୈନ ତନାକାଙ୍କର ୧୧୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ଗିନିଜ ବୁକ ଅଫ୍ ଓ୍ବାଲଡ ରେକର୍ଡ ଶୋକବ୍ୟକ୍ତ କରିଛି । ଅନ୍ତରାଷ୍ଟ୍ରୀୟ ମିଡିଆ ମୁତାବକ, ୨ ଜାନୁୟାରୀ ୧୯୦୩ରେ କୈନ ଜାପାନର ଫୁକୁଓକା ସିଟିରେ ଜନ୍ମ ଗ୍ରହଣ କରିଥିଲେ । 

ତେବେ ୧୯୨୨ରେ ବିବାହ କରିଥିଲେ କୈନ୍ । ତାଙ୍କର ୫ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୯ରେ ତାଙ୍କ ନାମ ଗିନିଜ ବୁକରେ ସାମିଲ ହୋଇଥିଲା । ତେବେ ୧୯ ଏପ୍ରିଲରେ ଏକ ନର୍ସିଂହୋମରେ କୈନଙ୍କ ମୃତ୍ୟୁ ହୋଇଛି । କୈନଙ୍କ ମୃତ୍ୟୁ ପରେ ଦୁନିଆର ସବୁଠୁ ବୟସ୍କା ତାଲିକାରେ ସାମିଲ ହୋଇଛନ୍ତି ଫ୍ରାନ୍ସର ଲୁସିଲେ ରାନଡନ ।