ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

ରାଉରକେଲା: କ୍ରୀଡ଼ା ବିକାଶରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ସୁନ୍ଦରଗଡରେ ଲେଖା ହେଲା ନୂଆ କାହାଣୀ । ଉଦଘାଟିତ ହୋଇଛି ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ସର୍ବବୃହତ ହକି ଷ୍ଟାଡିୟମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କହିଛନ୍ତି, ବିଶ୍ବ ଦରବାରରେ ସୁନ୍ଦରଗଡ଼ର ଗୌରବ ବଢ଼ାଇଛି ହକି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ଉଦ୍ୟମର ଏହା ପ୍ରତିଫଳନ । ଆଜି ସୁନ୍ଦରଗଡ଼ ହକିର ଅନ୍ତୁଡ଼ିଶାଳ ପାଲଟିଛି । ହକିକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଏହି ଷ୍ଟାଡିୟମ ଉତ୍ସର୍ଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ହକିରେ ଭାରତକୁ ମହାନ୍ କରି ତୋଳିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ନବୀନ ।

କିଛିଦିନ ମଧ୍ୟରେ ଏହି ଷ୍ଟାଡିୟମରେ ହେବ ପୁରୁଷ ବିଶ୍ୱକପ୍ ହକି । ଏହି ଉତ୍ସବରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ନବୀନ । ହକି ବିଶ୍ୱକପ୍ ମାସ୍କଟ ଓଲି ସହ କିଛି ସମୟ କଟାଇଲେ ମୁଖ୍ୟମନ୍ତ୍ରୀ । ୧୨୦ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।