ଋଷର ଆକ୍ରମଣ ପରେ ଦୁଇ ଭାଗ ହେଲା ବିଶ୍ୱ, ଋଷ ବିରୋଧରେ ଏକାଠି ହେଲେ ନାଟୋର ଅଧିକାଂଶ ସଦସ୍ୟ

1 min read

କିଭ୍: ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ଭାଗରେ ବାଣ୍ଟି ହେଉଛି ବିଶ୍ବ । ବଦଳିବାରେ ଲାଗିଛି ବିଶ୍ବ ଦୃଶ୍ୟପଟ । ଋଷକୁ ସବୁଠାରୁ ଅଧିକ ବିରୋଧ ଆମେରିକା କରୁଥିବାବେଳେ ନାଟୋକୁ କରୁଛି ଅଧିକ ସଂଗଠିତ । ଋଷ ବିରୋଧରେ ଆମେରିକାର ପକ୍ଷ ନେଇଛି ବ୍ରିଟେନ । ଋଷ ବିରୋଧରେ ସମସ୍ତ ଯୋଜନାରେ ସାମିଲ ହେବ ବ୍ରିଟେନ । ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖୋଲାଖୋଲି ଋଷ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ୟୁରୋପୀୟ ରାଷ୍ଟ୍ରସଂଘ ମୁଖ୍ୟ ଉର୍ସୁଲା ଭନ ଲିଏନ । ବୁଲଗେରିଆ, ଏସ୍ତୋନିଆ, ଲାଟଭିଆ, ଲିଥୁଆନିଆ, ରୋମାନିଆ, ସ୍ଲୋଭେନିଆ, ଚେକ ପ୍ରଜାତନ୍ତ୍ର, ପୋଲାଣ୍ଡ ଆଦି ରାଷ୍ଟ୍ର ଋଷକୁ ବିରୋଧ କରିଛନ୍ତି ।

ସେପଟେ ଆମେରିକା ଓ ନାଟୋ ବିରୋଧୀ ଆଭିମୁଖ୍ୟ ନେଇଛି ଚୀନ । ଋଷ ଉପରେ ଆକ୍ରମଣ ନ କରିବା ଲାଗି ବିଭିନ୍ନ ପକ୍ଷକୁ ଚୀନ ଆହ୍ବାନ ଦେଇଛି । ଋଷ ସହ ନିଜର ବାଣିଜ୍ୟକ ଓ ଅର୍ଥନୈତିକ ସମ୍ପର୍କ ଜାରି ରହିବ ବୋଲି ଚୀନ କହିବା ସହ ଋଷର ନିରାପତ୍ତାକୁ ପ୍ରାଥମିକତା ଦେଇଛି ଚୀନ । ଋଷ ସହ ବ୍ୟାପକ ଅର୍ଥନୈତିକ ସହଭାଗିତାରେ ଯୋଡି ହୋଇଥିବାରୁ ଜର୍ମାନୀ ଜଗରଖି ପଦକ୍ଷେପ ନେଉଛି । ଚାନସେଲନର ଓଲାଫ ସ୍କଜଙ୍କ ସୋସାଲ ଡେମୋକ୍ରାଟିକ ପାର୍ଟି ଋଷକୁ ସମର୍ଥନ କରୁଥିବା ସୂଚନା ମିଳିଛି । ଗତ କିଛିବର୍ଷ ଧରି ଋଷ ଓ ଜର୍ମାନୀ ମଧ୍ୟରେ ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ବିପୁଳ ନିବେଶ ଘଟିଥିବାରୁ ଜର୍ମାନୀ ଦୋଛକିରେ ପଡ଼ିଛି ।

ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୈଠକକୁ ତୀବ୍ର ବିରୋଧ କରିଛି ଆମେରିକା । ଋଷକୁ ପାକିସ୍ତାନ ନୈତିକ ସମର୍ଥନ ଜଣାଇଥିବାରୁ ଏହା ବିରୋଧରେ କ୍ଷୋଭ ପ୍ରକାଶ କରିଛି ଆମେରିକା । ପାକିସ୍ତାନ ଇତିହାସରେ ଦୀର୍ଘ ୨୩ ବର୍ଷ ପରେ ପ୍ରଥମଥର ଲାଗି ଜଣେ ପ୍ରଧାନମନ୍ତ୍ରୀ ଋଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ । ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଋଷକୁ ସମର୍ଥନ ଜଣାଇଛନ୍ତି । ସିରିୟା ରାଷ୍ଟ୍ରପତି ବସର ଅଲ- ଅସାଦ ଋଷକୁ ସମର୍ଥନ ଜଣାଇଥିବାବେଳେ ଭେନିଜୁଏଲା ମଧ୍ୟ ଭ୍ଲାଦିମିର ପୁଟିନଙ୍କୁ ସମର୍ଥନ ଜଣାଇଛି । ଅନ୍ୟପକ୍ଷରେ ଭାରତ ଏହି ମାମଲାରେ ସମଦୂରତାରେ ରହିଛି ।

Leave a Reply