ପରିହାସ ହେଲେ ବି କାହିଁକି କାଟୁନାହାନ୍ତି ନିଶ ?

କେରଳ : ପୂର୍ବରୁ ଅଧିକାଂଶ ପୁରୁଷ ଲୋକ ନିଶ ଦାଢ଼ି ରଖିବାକୁ ପସନ୍ଦ କରୁନଥିବା ବେଳେ ବର୍ତ୍ତମାନ ଏହା ଫ୍ୟାସନରେ ପରିଣତ ହୋଇଛି । ବର୍ତ୍ତମାନର ଯୁବପିଢ଼ି ଏଭଳି ଫ୍ୟାସନ୍ କରିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଆଜିକାଲିର ଫିଲ୍ମମାନଙ୍କରେ ଅଭିନୟ କରୁଥିବା ଅଭିନେତାମାନଙ୍କଠାରୁ ପ୍ରେରିତ ହୋଇ ଯୁବବର୍ଗ ନିଶ ଦାଢ଼ି ରଖୁଥିବା ଦେଖାଯାଉଛି । ପୁରୁଷ କିମ୍ୱା ମହିଳାଙ୍କ ମଧ୍ୟରେ ଥିବା ହରମୋନର ଅସନ୍ତୁଳନ ହେତୁ ଉଭୟ ମହିଳା ଓ ପୁରୁଷଙ୍କ ଶରୀରରେ ବିଭିନ୍ନ ପରିବର୍ତ୍ତନ ଦେଖାଦିଏ । ଏହି କାରଣରୁ କେଉଁ ପୁରୁଷଙ୍କର ନିଶ ଦାଢ଼ି ଉଠିନଥାଏ ତ କେଉଁ ମହିଳାଙ୍କର ମୁହଁର କିଛି ଅଂଶରେ ଚୁଟି ଦେଖାଯାଏ । କୌଣସି ମହିଳା ନିଶ ଦାଢ଼ି ରଖିବାକୁ ପସନ୍ଦ କରୁନଥିବାରୁ ମହିଳାମାନେ ରେଜର, କ୍ରିମ୍ ଆଦି ସାହାଯ୍ୟରେ ଏସବୁକୁ ହଟାଇଥାନ୍ତି । ମାତ୍ର, ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତର ଜଣେ ଏଭଳି ମହିଳା ଯିଏ ନିଶ ରଖିବାକୁ ପସନ୍ଦ କରନ୍ତି । ଆଜ୍ଞା ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରାପୁରି ସତ । ତେବେ ଏହି ମହିଳା ଜଣକ କିଏ ? ଓ ସେ କାହିଁକି ପୁରୁଷଙ୍କ ଭଳି ନିଶ ରଖିବାକୁ ପସନ୍ଦ କରନ୍ତି ? ଏ ବିଷୟରେ ଜାଣିବା…

ମହିଳା ଜଣକ ହେଉଛନ୍ତି କେରଳର କନ୍ନୁର ଅଞ୍ଚଳ ବାସିନ୍ଦା ସାଏଜା । ତାଙ୍କର ଏହି ନିଶ ପାଇଁ ତାଙ୍କୁ ଅନେକ ସ୍ଥାନରେ ଅପଦସ୍ଥ ମଧ୍ୟ ହେବାକୁ ପଡ଼େ । ଏସବୁ ପରେ ବି ସେ ନିଶ କାଟିବାକୁ ଇଚ୍ଛୁକ ନୁହଁନ୍ତି । ନିଶ ରଖିବା ମୋର ପସନ୍ଦ ବୋଲି ସଏଜା ଏକ ସାକ୍ଷାତକାରରେ କହିଥିଲେ । ଅନେକ ମହିଳାଙ୍କ ନିଶ ଉଠୁଥିବାରୁ ଥ୍ରେଡିଙ୍ଗ୍ ସାହାଯ୍ୟରେ ସେମାନେ ଏହାକୁ ହଟାଇଥାନ୍ତି । ମାତ୍ର, ଏଭଳି କରିବାର କେବେ ଆବଶ୍ୟକ ମଣିନଥିବା ସେ କହିଛନ୍ତି । ବିନା ନିଶରେ ରହିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଏମିତିକି କରୋନା ମହାମାରୀ ସମୟରେ ମାସ୍କ ପିନ୍ଧିବା ତାଙ୍କୁ ପସନ୍ଦ ନଥିଲା କାରଣ ମାସ୍କ ପିନ୍ଧିବା ଦ୍ୱାରା ତାଙ୍କ ନିଶ ଦେଖାଯାଉନଥିଲା । ଅନେକ ଲୋକ ନିଶ କାଟିଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ କାଟିନାହାନ୍ତି ଏବଂ ଏହି କାରଣରୁ ସେ ନିଜକୁ ଅସୁନ୍ଦର ବୋଲି ମଧ୍ୟ କେବେ ଅନୁଭବ କରନାହାନ୍ତି । ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସହଯୋଗ କରୁଥିବା ବେଳେ ତାଙ୍କ ଝିଅ କୁହନ୍ତି ମା’ଙ୍କୁ ନିଶ ଭଲ ମାନେ । ଆଉ ଏକ ସାକ୍ଷାତକାରରେ ସାଏଜା କହିଛନ୍ତି ଯେ ମୋର ଏଯାବତ୍ ୬ଟି ସର୍ଜରୀ ହୋଇସାରିଲାଣି । ଜୀବନରେ ଅନେକ ସମସ୍ୟା ଦେଇ ମୁଁ ଗତିକରିଛି । ମାତ୍ର, କେବେ ବି ହାର ମାନିନି । ଏବେ ଖୁସିର ଜୀବନ ବିତେଇବାକୁ ନିଷ୍ପତ୍ତି ନେଇଛି ।