ଦେଶଠୁ ରାଜ୍ୟ ସବୁଠି ଆକାଶରୁ ଖସୁଛି ନିଆଁ ହୁଳା

ଭୁବନେଶ୍ବର: ତାତି ନେଉଛି ଅଗ୍ନି ପରୀକ୍ଷା । ସାରା ଦେଶରେ ଗରମର ଟର୍ଚ୍ଚର । ହଟ୍‌ ଲିଷ୍ଟରେ ୫ ରାଜ୍ୟ । ରାଜସ୍ଥାନ, ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ଓଡ଼ିଶାକୁ ହିଟ୍‌ଓ୍ବେଭ୍ ଆଲର୍ଟ । ଆସନ୍ତା ୩ ଦିନ ଭିତରେ ଭାଙ୍ଗିପାରେ ୬୪ ବର୍ଷର ରେକର୍ଡ । ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ବଢିବା ନେଇ ଆଇଏମଡି ପୂର୍ବାନୁମାନ କରିଛି । ଏହାପରେ ଦୁଇଦିନ ଯାଏଁ କମିବ ତାପମାତ୍ରା । ରାଜସ୍ଥାନ, ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାରୁ ହିଟଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମେ’ ପ୍ରଥମ ସପ୍ତାହରୁ ବଦଳିବ ପାଣିପାଗ । ବର୍ଷା ହେବା ସହ ତାପମାତ୍ରା କମିପାରେ ।

ଓଡ଼ିଶାରେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ପହିଲା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି । ତିନି ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ଆକଳନ କରାଯାଇଛି ।

ଆଇଏମ୍‌ଡିର ସତର୍କତା ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍‌ଆରସି । ଅଂଶୁଘାତରୁ ବର୍ତ୍ତିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।