କେବେ ଫେରିବ ମଣିଷ ଖିଆ ସୁନ୍ଦରୀ ? NTCAକୁ ଚିଠି ଲେଖିଲା PCCF

1 min read
Sundari

ଭୁବନେଶ୍ୱର: କେବେ ମଧ୍ୟପ୍ରଦେଶ ଫେରିବ ସୁନ୍ଦରୀ । ଲକଡାଉନ ପାଇଁ ବାନ୍ଧବଗଡ଼ ଫେରିପାରୁନଥିଲା ମଣିଷଖିଆ ବାଘୁଣୀ ସୁନ୍ଦରୀ । ତେବେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ । ଏନଟିସିଏକୁ ଏବାବଦରେ ଗତ ସପ୍ତାହରେ ଚିଠି ଲେଖା ହୋଇଛି । ବାଘୁଣୀ କେଉଁଠି ରହିବ ତାହା ସ୍ପଷ୍ଟ କରାଯାଉ । ଭବିଷ୍ୟତରେ ଜଙ୍ଗଲୀ ବାଘୁଣୀକୁ କିଭଳି ବ୍ୟବହାର କରାଯାଇପାରିବ ତାହା ଉପରେ ବିଚାର କରାଯାଉ ବୋଲି କହିଛନ୍ତି ହରିଶଙ୍କର । ଓଡିଶା ସରକାର, ମଧ୍ୟପ୍ରଦେଶ ସରକାର ଓ WII ମିଳିତ ନିଷ୍ପତ୍ତି ନେବାକୁ ଚିଠିରେ ଉଲ୍ଲେଖ ଅଛି । ପୂର୍ବରୁ ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ମଧ୍ୟପ୍ରଦେଶର ପ୍ରାଣୀ ଚିକିତ୍ସକ । ଏବେ ସାତକୋଶିଆରେ ଅଛି ସୁନ୍ଦରୀ ।

ତେବେ ପୂର୍ବରୁ ସେପ୍ଟେମ୍ବରରେ ମଧ୍ୟପ୍ରଦେଶ ଫେରି ପାରେ ସୁନ୍ଦରୀ ବୋଲି କୁହାଯାଉଥିଲା । ହେଲେ ବାଟରେ କଣ୍ଟା ସାଜିଥିଲା ଲକଡାଉନ୍ । ବର୍ଷେରୁ ଅଧିକ ସମୟ ଧରି ଯନ୍ତାରେ ଥିବା ସୁନ୍ଦରୀ ପାଇଁ ଅଗଷ୍ଟ ମାସ ଶେଷ ଆଡ଼କୁ ମଧ୍ୟପ୍ରଦେଶ ସରକାର ଫେରାଇବା ପ୍ରକ୍ରିୟା ଆରମ୍ଭ କରିବା ନେଇ ଓଡ଼ିଶା ବନ୍ୟ ବିଭାଗ ଆଶା ରଖିଥିଲା ।

ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସୁନ୍ଦରୀ ପ୍ଲାନ୍‌ ଆରମ୍ଭ ହୋଇଥିଲା । ସାତକୋଶିଆ ଅଭୟାରଣ୍ୟରେ ଥିବା ମହାବୀର ବାଘ ପାଖକୁ ମଧ୍ୟପ୍ରଦେଶର ସୁନ୍ଦରୀ ବାଘୁଣୀକୁ ପଠାଯାଇଥିଲା । ବାଘ ବଂଶ ତ ବଢିଲାନି, ମଣିଷ ଜାତି ଲୋପ ପାଇବାରେ ଲାଗିଲା । ମଣିଷ ଖିଆ ପାଲଟିଲା ସୁନ୍ଦରୀ । ଆଠମଲ୍ଲିକ ଲୋକଙ୍କ ବିରୋଧ ଯୋଗୁ ଯନ୍ତାରେ ଏହି ମହାବଳ ବାଘୁଣୀକୁ ରଖାଗଲା । ଏହା ଭିତରେ ମହାବୀରର ମୃତ୍ୟୁ ଘଟିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ସୁନ୍ଦରୀକୁ ମଧ୍ୟ ପ୍ରଦେଶକୁ ଫେରାଇବା ନିର୍ଦ୍ଦେଶ ଦିଆଗଲା । ମାର୍ଚ୍ଚରେ ମଧ୍ୟପ୍ରଦେଶରୁ ବନ୍ୟ ବିଭାଗ ଟିମ୍ ଆସି ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ହେଲେ ଲକଡାଉନ ହେବାରୁ ସୁନ୍ଦରୀକୁ ନେଇ ପାରିନଥିଲେ ।

Leave a Reply