ରାବଣର ମୃତ୍ୟୁ ପରେ ମନ୍ଦୋଦରୀଙ୍କ କଣ ହେଲା ? କୁଆଡେ ଗଲେ ଆଉ ଦୁଇ ପତ୍ନୀ

ନନ୍ଦିଘୋଷ ବ୍ୟୁରୋ: ଲଙ୍କାଧିପତି , ରାକ୍ଷସରାଜ, ଦଶାନନ ନାମରେ ପରିଚିତ ଲଙ୍କା ନରେଶ ରାବଣକୁ କିଏ ବା ନ ଜାଣେ  । ଶ୍ରେଷ୍ଠ ପଣ୍ଡିତ ଭାବେ ଜଣାଶୁଣା ରାବଣ କିନ୍ତୁ ସ୍ବଭାବରେ ଥିଲା ଅହଙ୍କାରୀ  । ନିଜ ଶକ୍ତି, ଭଗବାନ ଶଙ୍କରଙ୍କୁ ଭକ୍ତି ଓ ସ୍ୱର୍ଣ୍ଣ ଲଙ୍କା ପାଇଁ ଗର୍ବ ଅହଙ୍କାରରେ ବୁଡି ରହିଥିଲା ରାବଣ  । ଆଶ୍ବିନ ମାସ ଦଶମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କ ହାତରେ ବଧ ହୋଇଥିଲା ରାବଣ  । ସେବେ ଠୁ ଦଶହରାରେ ସମଗ୍ର ଦେଶରେ ରାବଣର ପୁତ୍ତଳିକା ଦାହ କରାଯାଇଥାଏ  । କିନ୍ତୁ ଆପଣ ଜାଣନ୍ତି କି ରାବଣର ପତ୍ନୀ ମନ୍ଦୋଦରୀ ବ୍ୟତୀତ ଆଉ କେତୋଟି ସ୍ତ୍ରୀ ଥିଲେ ? ରାବଣ ବଧ ପରେ ମନ୍ଦୋଦରୀ କୁଆଡେ ଗଲେ ?

 

ମନ୍ଦୋଦରୀର ପତିବ୍ରତା ଧର୍ମ ପାଇଁ ତାଙ୍କୁ ଦେବୀ ଅହଲ୍ୟାଙ୍କ ସହ ତୁଳନା କରାଯାଏ  । ତଥାପି ମନ୍ଦୋଦରୀଙ୍କ ବ୍ୟତୀତ ରାବଣର ଆଉ ଦୁଇ ଜଣ ପତ୍ନୀ ଥିଲେ  । ରାବଣର ପ୍ରଥମ ପତ୍ନୀ ତଥା ପାଟରାଣୀ ମନ୍ଦୋଦରୀ ଥିବାବେଳେ ଦ୍ବିତୀୟ ପତ୍ନୀଙ୍କ ନାମ ଥିଲା ଧନ୍ୟମାଳିନୀ  । ରାବଣ ତୃତୀୟ ପତ୍ନୀଙ୍କୁ ହତ୍ୟା କରିଥିବା ପୁରାଣରେ ବର୍ଣ୍ଣିତ ଅଛି  । ମନ୍ଦୋଦରୀଙ୍କ ଔରସରୁ ଇନ୍ଦ୍ରଜିତ, ମେଘନାଦ, ମହୋଦର, ପ୍ରହସ୍ତ, ବିରୁପାକ୍ଷ, ଭିକମ ବୀର ପୁତ୍ର ଜାତ ହୋଇଥିଲେ  । ସେହିପରି ଧନ୍ୟମାଳିନୀଙ୍କ ଅତିକ୍ୟା ଓ ଋଶିରାର ଦୁଇ ପୁତ୍ର ଥିଲେ  । ତୃତୀୟ ପତ୍ନୀଙ୍କ ଠାରୁ ରାବଣର ତିନୋଟି ପୁଅ ହେଲେ ପ୍ରହସ୍ତା, ନରାନ୍ତକା ଓ ଦେବତାକା  ।

 

ରାବଣର ମୃତ୍ୟୁ ପରେ ଭଗବାନ ରାମ ମନ୍ଦୋଦରୀ ଓ ବିଭୀଷଣଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ  । ହେଲେ ମନ୍ଦୋଦରୀ ଏହି ପ୍ରସ୍ତାବକୁ ମାନିବାକୁ ମନା କରିଦେଇଥିଲେ  । ଏହାପରେ ପୁଣି ଥରେ ମାତା ସୀତା ଓ ହନୁମାନ ମନ୍ଦୋଦରୀଙ୍କୁ ବୁଝାଇଥିଲେ  । ଧାର୍ମିକ, ନୈତିକତା ଓ ତର୍କ ଅନୁସାରେ ଦିଅର ବିଭୀଷଣଙ୍କୁ ବିବାହ କରିବା ଭୁଲ ନୁହେଁ  । ଏହା ପରେ ମନ୍ଦୋଦରୀ ବିବାହ ପାଇଁ ରାଜି ହୋଇଥିଲେ  । ହେଲେ ରାବଣର ମୃତ୍ୟୁ ପରେ ପଟ୍ଟରାଣୀ ମନ୍ଦୋଦରୀ ବିଷୟରେ ବାଲ୍ମିକୀ ରାମାୟଣରେ କୌଣସି ତଥ୍ୟ ଉଲ୍ଲେଖ ହୋଇନାହିଁ  । କିନ୍ତୁ ରାମାୟଣର ଦ୍ବିତୀୟ ସଂସ୍କରଣରେ ଏନେଇ ରଚନା କରାଯାଇଛି  । ସେହିପରି ଅନ୍ୟ ଦୁଇ ପତ୍ନୀଙ୍କ ମଧ୍ୟରୁ ଜଣଙ୍କୁ ରାବଣ ହତ୍ୟା କରିଥିବାବେଳେ ଆଉ ଜଣଙ୍କ ବିଷୟରେ କେଉଁଠି ଉଲ୍ଲେଖ ନାହିଁ  ।