ବିଲଡରଙ୍କୁ ଠକେଇ ମାମଲାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳ ଗିରଫ

ଭୁବନେଶ୍ବର: ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ । ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ କ୍ରମେ ଓ୍ୱେବପୋର୍ଟାଲ ରିପୋଟର୍ସ ଟୁଡେ ଓ ଖବର କାଗଜ ମହାଭାରତ ମାଲିକ ସୁରଜିତ ଧଳଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ବିଡିଏର ଅନୁମତି କରାଇଦେବାକୁ ପ୍ରଲୋଭନ ଦେଇଥିଲେ । ଏଥିପାଇଁ କୋଟିଏ ଟଙ୍କା ସହ ଦୁଇଟି ଦାମୀ ଗାଡି ନେଇଥିଲେ ।

ବଡ଼ ଲୋକଙ୍କ ସହ ଚିହ୍ନା ରହିଥିବାରୁ ସେ ଏହି କାମକୁ ସହଜରେ କରିଦେବେ ବୋଲି ବିଲଡର କଳିଙ୍ଗ କେଶରୀ ରଥଙ୍କୁ କହିଥିଲେ । ଏନେଇ ସୁରଜିତ ଧଳ କୋଟିଏ ଟଙ୍କା ନଗଦ ନେଇଥିଲେ । କେବଳ ଟଙ୍କା ନୁହେଁ ଦୁଇଟି ଦାମୀ କାର ମର୍ସିଡିଜ୍ ଏବଂ ଅଡି  ମଧ୍ୟ ନେଇଥିଲେ ସୁରଜିତ ।  କିଛି ଦିନ ପରେ କାମ ନହେବାରୁ, ବିଲଡର କଳିଙ୍ଗ କେଶରୀ ରଥ ଟଙ୍କା ସହ କାର ଫେରସ୍ତ ମାଗିବାରୁ ଅଭିଯୁକ୍ତ ସୁରଜିତ ଟଙ୍କା ଫେରସ୍ତ କରିବାକୁ ମନା କରି ଓଲଟା ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଆଇପିସିର ୪୨୦, ୪୬୭, ୪୬୮, ୪୭୧ ଧାରା ଅନୁସାରେ ସୁରଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।