୯୪ ବର୍ଷ ବୟସରେ ଭେଟେରାନ ଅଭିନେତ୍ରୀ ସୁଲୋଚନାଙ୍କ ପରଲୋକ

ନୂଆଦିଲ୍ଲୀ: ୪୦ରୁ ୫୦ ଦଶକର ଦିଗ୍ଗଜ ଅଭିନେତ୍ରୀ ଭାବେ ପରିତିତ ସୁଲୋଚନା ଲାଟକରଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁହାଯାଇଥିଲା ଯେ ଅଭିନେତ୍ରୀଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା । ସୁଶୃଷା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ପ୍ରଭାଦେବୀ ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଅଭିନେତ୍ରୀ ସୁଲୋଚନାଙ୍କ ପାର୍ଥିବ ଶରୀର ରଖାଯିବ ।

ଏହାପରେ ଶିବାଜୀ ପାର୍କ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପ୍ରକାଶଥାଉକି, ସୁଲୋଚନା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଥିଲେ । ସେହିପରି ହିନ୍ଦି ସିନେମାରେ ମଧ୍ୟ ନିଜର ଚମତ୍କାର ଅଭିନୟ ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦେବାନନ୍ଦଙ୍କଠୁ ନେଇ ରାଜେଶ ଖାନ୍ନାଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ଷ୍ଟାରଙ୍କ ସହ ସେ କାମ କରିଥିଲେ । ଅନେକ ହିନ୍ଦି ସିନେମାରେ ମା ଭୂମିକାରେ ମଧ୍ୟ ନଜର ଆସିଥିଲେ । ୨୫୦ରୁ ଅଧିକ ସିନେମାରେ ସେ କାମ କରିଥିଲେ ।