ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ ଓ ଭିଡିଓଗ୍ରାଫି ବିରୋଧରେ ଆବେଦନ, ଆଜି ରାୟ ଶୁଣାଇବେ କୋର୍ଟ

ବାରାଣସୀ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ଭିତରେ ସର୍ଭେ କରାଯାଇପାରିବ କି ନାହିଁ , ସେନେଇ ଆଜି ରାୟ ଶୁଣାଇବେ କୋର୍ଟ । ମସଜିଦ୍ ପଛ ପଶ୍ଚିମ ପ୍ରାଚୀର ନିକଟରେ ଥିବା ଏକ ହିନ୍ଦୁ ଉପାସନା ପୀଠକୁ ବର୍ଷତମାମ ପ୍ରବେଶ ଦାବିରେ ୫ ମହିଳା କୋର୍ଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି କରି କୋର୍ଟ ମସଜିଦ ଭିତରେ ସର୍ଭେ କରିବା ପାଇଁ ଆଦେଶ ଦେଇଥିଲେ । ଗତ ଶୁକ୍ରବାର ମସଜିଦ ଭିତରେ ସର୍ଭେ ଓ ଭିଡିଓଗ୍ରାଫି କରାଯାଇଥିଲେ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ମସଜିଦର କେୟାରଟେକର କମିଟି କିନ୍ତୁ କୋର୍ଟ ନିଯୁକ୍ତ ତଦାରଖ ଟିମର ସର୍ଭେ ଓ ଭିଡିଓଗ୍ରାଫିକୁ ବିରୋଧ କରିଛନ୍ତି । ଏହାଛଡ଼ା ସର୍ଭେ କାର୍ଯ୍ୟର ତଦାରଖ ଦାୟିତ୍ୱରେ ଥିବା କମିଶନରଙ୍କ ନିରପେକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲା ଏହି କମିଟି । କମିଶନରଙ୍କୁ ହଟାଇବା ଦାବି ଉପରେ ମଧ୍ୟ କୋର୍ଟ ରାୟ ଦେବେ । ମସଜିଦ ଭିତରେ ସର୍ଭେ ଓ ଭିଡିଓଗ୍ରାଫି ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି  ।

ଗତବର୍ଷ ୫ ଜଣ ମହିଳା ମସଜିଦ ପରିସରରେ ଥିବା ମାଆ ଶୃଙ୍ଗାର ଗୌରୀ ମନ୍ଦିରରକୁ ବର୍ଷ ତମାମ ପ୍ରବେଶ ପାଇଁ ଅନୁମତି ଲୋଡିବା ସହ ଅନ୍ୟ ଦେବଦେବୀ ମନ୍ଦିର ସଂପର୍କରେ ବି ଅନୁଧ୍ୟାନ ପାଇଁ ଆବେଦନ କରିଥିଲେ ।