ଋଷ ହାତରୁ ଜାପୋରିଜିଆ ଆଣବିକ ପ୍ଲାଣ୍ଟକୁ ପୁଣି ନିଜ କବଜାକୁ ଆଣିଲା ୟୁକ୍ରେନ

1 min read

କିଭ୍: ୟୁକ୍ରେନର ଜାପୋରିଜିଆ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ନେଇ ଆସିଲା ନୂଆ ତଥ୍ୟ । ଏହି ପ୍ଲାଣ୍ଟକୁ ୟୁକ୍ରେନ ପୁଣି ଋଷ ହାତରୁ ନିଜ କବଜାକୁ ଫେରାଇ ଆଣିଥିବା ଦାବି କରିଛି । ଏହାକୁ ନେଇ କିଭରେ ଜାରି ହୋଇଛି ଏୟାର ଆଲର୍ଟ । ଗତକାଲି ୟୁରୋପର ସବୁଠାରୁ ବୃହତ ଆଣବିକ ପ୍ଲାଣ୍ଟକୁ ଋଷ କବଜା କରିବା ନେଇ ସୂଚନା ମିଳିଥିଲା । ୟୁକ୍ରେନରେ ଋଷ ଆଣବିକ ଟେରର ସୃଷ୍ଟି କରୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ।

ସେପଟେ ୟୁକ୍ରେନସ୍ଥିତ ଆଣବିକ କାରଖାନାର ସୁରକ୍ଷା ନେଇ ଜାତିସଂଘ ନିରାପତ୍ତା ପରିଷଦ ନିକଟରେ ଦାବି କରିଛି ଭାରତ । ଜାପୋରିଜିଆ ଆଣବିକ କାରଖାନାକୁ ଋଷ ନିଜ କବଜାକୁ ନେଇଥିବା ବେଳେ, ଦେଶରେ ଥିବା ଅନ୍ୟାନ୍ୟ ଆଣବିକ କାରଖାନାର ସୁରକ୍ଷା ନେଇ ଭାରତ ଚିନ୍ତାପ୍ରକଟ କରିଛି । ୧୫ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଆଣବିକ କାରଖାନା ଉପରେ ଆକ୍ରମଣ ଜନଜୀବନ ଲାଗି ଭୟଙ୍କର ବିପଦ ସୃଷ୍ଟି କରିବ । ଏହାର ସୁରକ୍ଷା ଅତି ଜରୁରୀ । ଆଲବାନିଆ, ଫ୍ରାନ୍ସ, ଆୟାର୍ଲାଣ୍ଡ, ନରଓ୍ବେ, ବ୍ରିଟେନ ଓ ଆମେରିକା ଦ୍ବାରା ଏହି ବୈଠକ ଆହୂତ ହୋଇଥିଲା ।

ଅନ୍ୟପଟେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରସି କହିଛନ୍ତି ଯେ, ୟୁକ୍ରେନସ୍ଥିତ ଆଣବିକ କାରଖାନା ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ସେ ଚେର୍ଣ୍ଣୋବିଲ ଯାଇ ଏହି ପ୍ରସଙ୍ଗରେ ଋଷ ଓ ୟୁକ୍ରେନ ସହ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ସେହିପରି ରାଜନୈତିକ ଓ ଶାନ୍ତି ପ୍ରତିଷ୍ଠା ବ୍ୟାପାର ଉପମହାନିର୍ଦ୍ଦେଶକ ରୋଜମାରି ଡିକାର୍ଲୋ କହିଛନ୍ତି, ଆଣବିକ ବିପତ୍ତି ଯେପରି ଘଟିବ ନାହିଁ ସେଥିଲାଗି ପଦକ୍ଷେପ ନିଆଯାଉଛି । ଆଣବିକ କାରଖାନା ନିକଟବର୍ତ୍ତୀ ସ୍ଥାନରେ ସାମରିକ କାର୍ଯ୍ୟକଳାପକୁ ସେ ତୀବ୍ର ବିରୋଧ କରିଛନ୍ତି ।

 

Leave a Reply