ଜଘନ୍ୟ ହତ୍ୟାକାରୀଙ୍କୁ ଯୁଦ୍ଧ ମୈଦାନକୁ ଛାଡ଼ିଲା ୟୁକ୍ରେନ

ନୂଆଦିଲ୍ଲୀ: ଋଷର ଘନ ଘନ ଆକ୍ରମଣ । ୟୁକ୍ରେନ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ବୋମା ବର୍ଷଣ । ମାତ୍ର ୫ ଦିନରେ ଖଣ୍ଡର ପାଲଟି ଗଲାଣି ୟୁକ୍ରେନ ରାଜଧାନୀ କିଭ ସମେତ ପ୍ରାୟ ୩୦ ସହର । ଯେଉଁଠି ଯେଉଁଠି ଋଷର ବୋମା ବର୍ଷୁଛି, ସେହି ସ୍ଥାନ ନିମିଷକରେ ଭୂତ ଇଲାକାରେ ପରିଣତ ହୋଇଯାଉଛି । ଅନ୍ୟପକ୍ଷରେ ଋଷ ସେନାକୁ ମୁହଁତୋଡ ଜବାବ ଦେଉଛନ୍ତି ୟୁକ୍ରେନ ସେନା । ରାଷ୍ଟ୍ରପତିଙ୍କ ପାଖରୁ ବଳ ପାଇବା ପରେ ପୂରା ଆତ୍ମବିଶ୍ବାସର ସହ ଋଷ ଆକ୍ରମଣର କରୁଛନ୍ତି ମୁକାବିଳା ।

ଏହାରି ଭିତରେ ୟୁକ୍ରେନରୁ ଆସୁଛି ଏକ ବଡ଼ ଖବର । ଜଘନ୍ୟ ହତ୍ୟାକାଣ୍ଡରେ ଦୋଷୀ ୟୁକ୍ରେନର ପୂର୍ବ ସୈନିକ ଏବେ ପୁଣି ଅସ୍ତ୍ର ଧରିଛନ୍ତି । ଗରିଲା ଫାଇଟ୍ ହେଉ କି ଷ୍ଟ୍ରେଟ୍ ଫାଇଟ୍ ଏହି ଜଘନ୍ୟ ହତ୍ୟାକରୀ ଏବେ ଋଷ ଯବାନଙ୍କ ଉପରେ ଭାରି ପଡିବାକୁ ଯାଉଛନ୍ତି । ୟୁକ୍ରେନ ସହର ଭିତରେ ଏବେ ଏହି ହତ୍ୟାକରୀ ବୁଲି ବୁଲି ଋଷ ଯବାନଙ୍କ କରିବେ ନିପାତ ।

ମିଳିଥିବା ସୂଚନା ଅନୁସାରେ ହତ୍ୟା ଭଳି ଘଟଣାରେ ଦୋଷୀ ପୂର୍ବତନ ଯବାନଙ୍କୁ ୟୁକ୍ରେନ ସରକାର ଛାଡିବା ଆରମ୍ଭ କରି ଦେଇଛନ୍ତି । ନ୍ୟାସନାଲ ପ୍ରୋସିକ୍ୟୁଟର ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । କାର୍ଯ୍ୟାଳୟ ଅଧିକାରୀ ଏଣ୍ଡରୀ ସେନୁକଙ୍କ ଅନୁସାରେ, ଛଡା ଯାଉଥିବା ଏହି ହତ୍ୟାକରୀମାନେ ପୂର୍ବରୁ ସେନାରେ କାମ କରିସାରିଛନ୍ତି । ଏମାନଙ୍କ ପାଖରେ ଯୁଦ୍ଧ କରିବାର ଅନୁଭବ ମଧ୍ୟ ରହିଛି ।

ଏହି ହତ୍ୟାକରୀମାନଙ୍କ ମଧ୍ୟରୁ କିଏ ଏସିଡ ଫିଙ୍ଗି ତ କିଏ ଛୁରୀ ମାରି ଲୋକଙ୍କୁ ହତ୍ୟା କରି ଜେଲରେ ଅଛନ୍ତି । ହତ୍ୟାକରୀଙ୍କ ମଧ୍ୟରେ ସେରଗେଇ ଟୋର୍ବିନ ହେଉଛନ୍ତି ଜଣେ । ଟୋର୍ବିନ ପୁର୍ବରୁ ଡୋନେକ୍ସ ଓ ଲୁଗାନ୍ସ ପିପୁଲ ରିପବ୍ଲିକ ସହ ଯୁଦ୍ଧ କରିସାରିଛନ୍ତି । ସାମାଜିକ କର୍ମୀ କତେରିନା ହରଣ୍ଡଜୁକଙ୍କୁ ଏସିଡି ଫିଙ୍ଗି ହତ୍ୟା କରିବା ଅଭିଯୋଗରେ ଟୋର୍ବିନଙ୍କୁ ୨୦୧୮ରେ ୬ ବର୍ଷ ୬ ମାସର ଦଣ୍ଡାଦେଶ ଶୁଣାଯାଇଥିଲା । ଟୋର୍ବିନଙ୍କୁ ଜେଲରୁ ଛଡାଯିବା ପରେ ଋଷ ବିରୋଧରେ ଯୁଦ୍ଧ ଲଢିବାକୁ ସେ ନିଜର ଏକ ଟିମ୍ ପ୍ରସ୍ତୁତ କରୁଛି । ଏଥିରେ ସେ ୟୁକ୍ରେନର ପୂର୍ବତନ ଯବାନମାନଙ୍କୁ ବାଛି ବାଛି ଭର୍ତ୍ତି କରିଛନ୍ତି । ଯେଉଁମାନେ ଋଷ ସେନା ଉପରେ ଦାନବ ପରି ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସେହିପରି ପୂର୍ବ ସୈନିକ ଦିମିସ୍ତ୍ରୀ ବାଲାବୁଖାଙ୍କୁ ବି ୟୁକ୍ରେନ ସରକାର ଋଷ ବିରୋଧରେ ଲଢ଼ିବାକୁ ଜେଲରୁ ଛାଡ଼ି ଦେଇଛନ୍ତି । ଏକ ବସଷ୍ଟପରେ ଏହି ପୂର୍ବତନ ଯବାନ ଛୁରୀ ମାରି ଜଣେ ଲୋକକୁ ହତ୍ୟା କରିବା ଅଭିଯୋଗରେ ୨୦୧୮ରୁ ଜେଲରେ ଦଣ୍ଡ ଭୋଗୁଥିଲେ ।

ସେତିକି ନୁହେଁ, ଋଷ ସେନା ବିରୋଧରେ ଲଢିବାକୁ ୟୁକ୍ରେନର ସାଧାରଣ ନାଗରିକ ମଧ୍ୟ ଅସ୍ତ୍ର ଧରିବା ଆରମ୍ଭ କରି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ ଜାରି ରହିଛି । ସେପଟେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ ଯୁବଗୋଷ୍ଠୀଙ୍କ ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ସେନାରେ ସାମିଲ ହେବା ଯୋଗ୍ୟ କୌଣସି ଲୋକ ଦେଶ ଛାଡି ଯାଇପାରିବେ ନାହିଁ ବୋଲି ସେ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

Leave a Reply