Twitterକୁ ଭାରି ପଡ଼ିଲା ନୂଆ ନିୟମ ପାଳନ ନକରିବା !

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ଇଣ୍ଟରନେଟ୍ ମିଡିଆ ଦ୍ୱାରା ଜାରି କରାଯାଇଥିବା ନୂଆ ନିୟମ ମାନିବାକୁ ଅନିଚ୍ଛା ପ୍ରକାଶ କରିବା ଟ୍ୱିଟରକୁ ମହଙ୍ଗା ପଡ଼ିଛି । ଏହି ସୋସିଆଲ ମିଡିଆ କମ୍ପାନୀକୁ ଦିଆଯାଇଥିବା ମଧ୍ୟସ୍ଥିତାର ସ୍ଥିତି ସମାପ୍ତ ହୋଇଛି । ଏଭଳି ପରିସ୍ଥିତିରେ ପୋଲିସ ବର୍ତ୍ତମାନ କମ୍ପାନୀର ଭାରତୀୟ ୟୁନିଟର ପରିଚାଳନା ନିର୍ଦ୍ଦେଶକ ସମେତ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିପାରବ ଏବଂ ଏହି ପ୍ଲାଟଫର୍ମରେ ସେୟାର କରାଯାଇଥିବା ‘ବେଆଇନ କିମ୍ବା ଉସକାଇବା’ ଭଳି ବିଷୟବସ୍ତୁ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ କରିବାକୁ ମଧ୍ୟ ପଡ଼ିପାରେ । ଭାଇରାଲ ଭିଡିଓ ସେୟାର କରୁଥିବା ଭଳି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ଜଣାଶୁଣା କମ୍ପାନୀ ବିରୋଧରେ ମାମଲା ରୁଜୁ ହେବା ପରେ ପରେ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି ।

ସୂଚନା ଅନୁସାରେ ଫେବୃଆରୀରେ ଭାରତ ସରକାର ଇଣ୍ଟରନେଟ୍ ମିଡିଆ ପାଇଁ ନୂଆ ନିୟମ ଜାରି କରିଥିଲେ । ଯେଉଁଥିପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଏହି ନୂଆ ନିୟମ ପାଳନ କରିବାକୁ ମେ ୨୫ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। କିନ୍ତୁ ଟ୍ୱିଟର ଏହି ନିୟମକୁ ନେଇ କୌଣସି ପ୍ରତିକ୍ରିୟା ରଖି ନଥିଲା । ଏଭଳି ପରିସ୍ଥିତିରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ,  ମେ ୨୫ ରେ ଲାଗୁ ହୋଇଥିବା ନିୟମର ସମସ୍ତ ବ୍ୟବସ୍ଥା ଟ୍ୱିଟର ଏପର୍ଯ୍ୟନ୍ତ ପାଳନ କରିନାହିଁ । ଯଦିଓ ସରକାର ୫ ଜୁନ୍ ପର୍ଯ୍ୟନ୍ତ ଚେତାବନୀ ଦେଇଥିଲେ, କିନ୍ତୁ ଏହା ପରେ ମଧ୍ୟ ଟ୍ୱିଟର ଏହି ନିୟମ ପାଳନ କରିପାରିଲା ନାହିଁ, ତେଣୁ ଏନେଇ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ,  ମଧ୍ୟବର୍ତ୍ତୀ ସ୍ଥିତିର ସମାପ୍ତି ପରେ, ଏହି ପ୍ଲାଟଫର୍ମ ସାଧାରଣ ଗଣମାଧ୍ୟମ ବର୍ଗରେ ଆସିବ । ଏହାର ଅର୍ଥ ବର୍ତ୍ତମାନ ଯଦି ଟ୍ୱିଟରର ପ୍ଲାଟଫର୍ମରେ ଚାଲୁଥିବା କୌଣସି ବିଷୟବସ୍ତୁ, ଭିଡିଓ କିମ୍ବା ଅନ୍ୟ କୌଣସି ବିଷୟ ଉପରେ ମକଦ୍ଦମା ଦାୟର କରାଯାଏ, ତେବେ ଟ୍ୱିଟର ମଧ୍ୟ ଏଥିରେ ଏକ ପାର୍ଟୀ ବା ଦଳ ହେବ ଏବଂ ଭାରତୀୟ ଦଣ୍ଡବିଧି ଅନୁଯାୟୀ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ମୁଖ୍ୟ ଅନୁପାଳନ ଅଧିକାରୀଙ୍କ ନିଯୁକ୍ତି

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ପରେ ଟ୍ୱିଟର ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ କରିଛି । ଖୁବ ଶୀଘ୍ର ଆଇଟି ମନ୍ତ୍ରଣାଳୟ ସହିତ ସବିଶେଷ ତଥ୍ୟ ସେୟାର କରାଯିବ ବୋଲି କମ୍ପାନୀ କହିଛି । ଟୁଇଟର ମୁଖପାତ୍ର କହିଛନ୍ତି ଯେ ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ପ୍ରତ୍ୟେକ ପଦକ୍ଷେପରେ ଅଗ୍ରଗତି ବିଷୟରେ ଆଇଟି ମନ୍ତ୍ରଣାଳୟକୁ ସୂଚନା ଦିଆଯାଉଛି।

ଏହାସହ ଇନଫର୍ମେସନ ଟେକ୍ନୋଲୋଜି ଷ୍ଟାଣ୍ଡିଂ କମିଟି ଟ୍ୱିଟରକୁ ସମନ ପଠାଇଛି । ଟୁଇଟର ଅଧିକାରୀମାନଙ୍କୁ ସମନ ପଠାଇ ଜୁନ୍ ୧୮ ସୁଦ୍ଧା କମିଟିରେ ହାଜର ହେବାକୁ କୁହାଯାଇଛି। ନାଗରିକ ଅଧିକାରର ସୁରକ୍ଷା, ସୋସିଆଲ ମିଡିଆ / ଅନଲାଇନ୍ ନ୍ୟୁଜ୍ ମିଡିଆ ପ୍ଲାଟଫର୍ମଗୁଡିକର ଅପବ୍ୟବହାର ରୋକିବା ଏବଂ ଅନଲାଇନ୍ ପ୍ଲାଟଫର୍ମରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଟ୍ୱିଟରକୁ ଡକାଯାଇଛି।

Leave a Reply