ଖରାରେ ସିଝୁଛି ଓଡ଼ିଶା: ୪୦ ଡିଗ୍ରୀ ଉପରେ ୨୪ ସହର

ଭୁବନେଶ୍ବର: ଖରାରେ ସିଝୁଛି ସାରା ଓଡ଼ିଶା । ଅସହ୍ୟ ଗରମ ଓ ନାହିଁ ନଥିବା ଗୁଳୁଗୁଳି । ଅସ୍ତବ୍ୟସ୍ତ ଜନଜୀବନ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୨୪ ସହରର ତାପମାତ୍ରା । ୪ଟି ସହର ତାପମାତ୍ରା ପାର କରିଛି ୪୪ ଡିଗ୍ରୀ । ୪୪.୫ ଡିଗ୍ରୀ ସହିତ ସୋନପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର ।

ଆଜି ଭୁବନେଶ୍ବର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ପାର କରିଛି । ରାଜଧାନୀରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ଯାଏଁ ତାତିରୁ ତ୍ରାହି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩୦ ତାରିଖ ଯାଏଁ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ଆଭ୍ୟନ୍ତରିଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ, ଉପକୂଳରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୯ ତାରିଖ ଯାଏଁ ୧୧ ଜିଲ୍ଲା, ୩୦ ଯାଏଁ ୮ ଜିଲ୍ଲାରେ ହିଟ୍ଓ୍ବେଭ୍ ପ୍ରଭାବ ରହିବ । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।