ଦୁର୍ବଳ ମୌସୁମୀ କାରଣରୁ ରାଜ୍ୟରେ ବୃଦ୍ଧି ପାଇଛି ନିଅଣ୍ଟିଆ ବର୍ଷା, ଆସନ୍ତା ୧୬ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି। ଜୁନ୍ ୧ ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ରାଜ୍ୟରେ ୭୧୧.୧ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟରେ ୪୯୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ୍ ବର୍ଷା। ରାଜ୍ୟରେ ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

ଯାଜପୁରେ ୫୫ ପ୍ରତିଶତ, ଭଦ୍ରକରେ ୫୦ ପ୍ରତିଶତ, ଗଜପତିରେ ୪୪ ପ୍ରତିଶତ ଏବଂ ବଲାଙ୍ଗିର ଜିଲ୍ଲାରେ ୪୩ ପ୍ରତିଶତ, ଝାରସୁଗୁଡା ଏବଂ କେନ୍ଦୁଝର ଜିଲ୍ଲାରେ ସ୍ୱାଭାବିକ ଠାରୁ ୪୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶାରେ ଅଗଷ୍ଟ ୧ ତାରିଖରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୧୪୮.୮ ମିଲିମିଟର ବର୍ଷା ରେକର୍ଡ ହେବା କଥା। କିନ୍ତୁ ମାତ୍ର ୪୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

କେବଳ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୭୧ ପ୍ରତିଶତ କମ୍ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପଟେ ନିଅଣ୍ଟିଆ ବର୍ଷାରେ ମରୁଡି ଆଶଙ୍କା ଥିବା ବେଳେ ଆଶା ସଞ୍ଚାର କରିଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାରଗରୁ ସୃଷ୍ଟି ହୋଇ ଝାଡଖଣ୍ଡ ଏବଂ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଘୂର୍ଣ୍ଣିବଳୟ ଯଦି ଲଘୁଚାପରେ ପରିଣତ ହୁଏ ତେବେ ନିଅଣ୍ଟିଆ ବର୍ଷା କିଛି ପରିମାଣରେ ପୂରଣ ହେବାର ଆଶା ରହିଛଇ।

 

Leave a Reply