ରାଜନୈତିକ ଦଳ ଲାଗି ପାଣ୍ଠି ଯୋଗାଣ ସଂକ୍ରାନ୍ତ ଇଲେକ୍ଟୋରାଲ ବଣ୍ଡ ସ୍କିମର ବୈଧତା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ

1 min read

ନୂଆଦିଲ୍ଲୀ: ରାଜନୈତିକ ଦଳ ଲାଗି ପାଣ୍ଠି ଯୋଗାଣ ସଂକ୍ରାନ୍ତ ଇଲେକ୍ଟୋରାଲ ବଣ୍ଡ ସ୍କିମର ବୈଧତା ପ୍ରସଙ୍ଗ। ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ । ସମ୍ବିଧାନ ଅନୁସାରେ ରାଜନୈତିକ ଦଳ କାହାଠାରୁ ଚାନ୍ଦା ପାଇଲେ ତାହା ଜାଣିବା ସମ୍ପର୍କରେ କାହାର ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ ନିକଟରେ ଗତକାଲି କହିଥିଲେ କେନ୍ଦ୍ର ସରକାର । ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି କହିଥିଲେ- ସମ୍ବିଧାନର ଧାରା 19(1)(ଏ) ଅନୁସାରେ ପ୍ରାର୍ଥୀଙ୍କ ଅତୀତ ଇତିହାସ ଜାଣିବା ଭୋଟରଙ୍କ ଅଧିକାର ରହିଛି । ମାତ୍ର ସବୁକିଛି ଜାଣିବାର ଅଧିକାର ନାହିଁ ।  ରାଜନୈତିକ ଦଳଙ୍କୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଲାଗି ନଗଦ ଅର୍ଥ ପ୍ରଦାନ ବଦଳରେ ଇଲକ୍ଟୋରାଲ ବଣ୍ଡ ପ୍ରଦାନ କରିବା ଲାଗି ଗତ ୨୦୧୮ ଜାନୁଆରୀ ୨ରେ ଏକ ବିଜ୍ଞପ୍ତି ଆଣିଥିଲେ ସରକାର ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ରହିଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜଷ୍ଟିସ ସଞ୍ଜୀବ ଖନ୍ନା, ବିଆର ଗଭାଇ, ଜେବି ପାର୍ଦିଓ୍ବାଲା ଓ ମନୋଜ ମିଶ୍ର । କଂଗ୍ରେସ, ସିପିଏମ ସମେତ ୪ଟି ପକ୍ଷ ଏନେଇ ମାମଲା ଦାୟର କରିଥିଲେ । ଇଲେକ୍ଟୋରାଲ ବଣ୍ଡ ଏକ ପ୍ରତିଜ୍ଞାମୂଳକ ନୋଟ ଏବଂ ଏହା ସୁଧମୁକ୍ତ ବ୍ୟାଙ୍କିଂଙ୍କ ବ୍ୟବସ୍ଥାର ଏକ ଟୁଲ୍ । କୌଣସି ଭାରତୀୟ ବା ଭାରତରେ ପଞ୍ଜୀକୃତ ସଂଗଠନ ରିଜର୍ଭ ବ୍ୟାଙ୍କର ନିର୍ଦ୍ଧାରିତ ନିୟମ ଅନୁସାରେ କେଓ୍ବାଇସି ପୂରଣ କରି ବଣ୍ଡ ହାସଲ କରିପାରିବେ ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି-ଇଲେକ୍ଟୋରାଲା ବଣ୍ଡ ଜରିଆରେ ପାଣ୍ଠି ପ୍ରଦାନ ଦୁର୍ନୀତି ବଢାଇବ ଏବଂ ଏହା ଏକ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ ଲାଗି ନାଗରିକଙ୍କ ଅଧିକାରର ଉଲ୍ଲଂଘନ କରିବ । ଦାୟର ମାମଲାର ତଥ୍ୟ ଅନୁସାରେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳଙ୍କୁ ୧୨ ହଜାର କୋଟି ଟଙ୍କା ଯାଇଛି । ସେଥିରୁ କେବଳ ଦୁଇ ତୃତୀୟାଂଶ ଯାଇଛି ଗୋଟିଏ ପ୍ରମୁଖ ରାଜନୈତିକ ଦଳ ନିକଟକୁ। ଗତ ୨୦୧୯ ଏପ୍ରିଲରେ ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ବାତିଲ କରିବା ଲାଗି ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ।