ଆଜି ପବିତ୍ର ଅଶୋକାଷ୍ଟମୀ, ଭଉଣୀ ରୁକ୍ମିଣୀଙ୍କୁ ନେଇ ବାହାରିବେ ଭାଇ ଲିଙ୍ଗରାଜ

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ। ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ସାରଥୀ । ନୀତି ଅନୁସାରେ ଦିନ12ଟାରେ ମଙ୍ଗଳ ଆଳତି, 2ଟା ରେ ଭୋଗ ଲାଗି ଓ ପହଣ୍ଡି ପରେ 3ଟା ସମୟରେ ହେବ ରଥଟଣା । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ପ୍ରଚଣ୍ଡ ଖରା ଯୋଗୁଁ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବିଦ୍ୟୁତ, ପରିମଳ ଆଦି ଦାୟିତ୍ୱ ବିଏମସି ନେଇଛି । ସୁର୭ା ଦାୟିତ୍ବରେ 12 ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହା ସହ ଟ୍ରାଫିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ରଥଟଣା ବେଳେ ପରମ୍ପରା ଆଳରେ ଡାଉକ ଦ୍ୱାରା ବୋଲାଯାଉଥିବା ଅଶ୍ଳୀଳ ଭାଷାକୁ ବନ୍ଦ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି । 5ଦିନ ଧରି ଆୟୋଜିତ ଯାତ୍ରାରେ ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯାଇଥାଏ । ଏହି 5ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ।