ଆଜି ’ଅପରେସନ ଗଙ୍ଗା’ର ଅନ୍ତିମ ଦିନ, ସନ୍ଧ୍ୟାରେ ୟୁକ୍ରେନ ଛାଡ଼ିବ ଭାରତର ଶେଷ ବିମାନ

କିଭ୍: ଅପରେସନ ଗଙ୍ଗାର ଆଜି ଶେଷ ଦିନ । ସନ୍ଧ୍ୟାରେ ୟୁକ୍ରେନ ଛାଡିବ ଭାରତର ଶେଷ ବିମାନ । ମିଶନର ଶେଷ ପର୍ଯ୍ୟାୟରେ ବାହୁଡ଼ିବେ ପ୍ରାୟ ୭୦୦ ଛାତ୍ରଛାତ୍ରୀ । ବିଶେଷ କରି ୟୁକ୍ରେନର ସୁମିରେ ଫସିଥିବା ଡାକ୍ତରୀ ଛାତ୍ରଛାତ୍ରୀ ନିରାପଦରେ ଭାରତ ଫେରିବେ । ସେମାନଙ୍କ ଉଦ୍ଧାର ଲାଗି ବେଶ୍ ଉଦ୍ୟମ କରିଥିଲା ଭାରତୀୟ ଦୂତାବାସ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । ଗତ ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇଥିଲା ଅପରେସନ ଗଙ୍ଗା । ଏହି ମିଶନରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଲେଣି ।

ଅନ୍ୟପକ୍ଷରେ ୟୁକ୍ରେନ ସ୍ଥିତି ଉପରୁ ସସପେନ୍ସ ଏପର୍ଯ୍ୟନ୍ତ ବି ହଟୁନି । ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିନ୍ନ ଭିନ୍ନ ବୟାନ ଯୁଦ୍ଧ ସ୍ଥିତି ସମ୍ପର୍କରେ ଦ୍ୱନ୍ଦ ସୃଷ୍ଟି କରିଛି । ତଥାପି ନାଟୋ ପ୍ରତି ସେ ଅନାଗ୍ରହୀ ଥିବା ସ୍ପଷ୍ଟ ହୋଇଥିବାବେଳେ ଆଗକୁ ସେ କି ପଦକ୍ଷେପ ନେବେ ତାହାର ସୂଚନା ମିଳିନାହିଁ । ସେପଟେ ରାଜଧାନୀ କିଭ୍ ଦଖଲ କରିବା ପାଇଁ ଆଗଉଛି ଋଷ ବାହିନୀ । କିଭ୍ ଠାରୁ ମାତ୍ର ୪୦ ମାଇଲ ଦୂରରେ ଠୁଳ ହେଲେଣି ଋଷ ସୈନ୍ୟ । ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ ଜାରି ରହିଛି । କ୍ରମଶଃ ବିଶ୍ୱ ସମୁଦାୟ ନିକଟରେ ଅଲଗା ହୋଇପଡୁଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲୁକ ଇଷ୍ଟ ନୀତି ଆପଣାଇବା ନେଇ ସୂଚନା ମିଳିଛି ।