TMC ସାଂସଦ ମହୁଆଙ୍କ ବଢିଲା ଅଡୁଆ, ସଂସଦର ଏଥିକ୍ସ କମିଟି ପଠାଇଲା ସମନ୍‌

ନୂଆଦିଲ୍ଲୀ: କେସ୍‌ ଫର୍‌ କ୍ବରୀ ମାମଲାରେ ଟ୍ଏମସି ସାଂସଦ ମହୁଆ ମୈତ୍ରଙ୍କ ବଢିଲା ଅଡୁଆ  । ସଂସଦର ଏଥିକ୍ସ କମିଟି ମହୁଆଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ସମନ୍‌ ଜାରି କରିଛନ୍ତି  । କମିଟି ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରଇକୁ ପଚରାଉଚୁରା କରାଯାଇଛି  । ଏହି ମାମଲାକୁ ଗୁରୁତର ସହ ନେଇ କମିଟି ମହୁଆଙ୍କୁ ଜେରା କରିବା ପାଇଁ ନିଷ୍ପତ୍ତି ନେଇଛି  ।

 

ଟିଏମସି ସାଂସଦ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରିବାକୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ଅଧ୍ୟକ୍ଷ ଓମ ବିରଲାଙ୍କୁ ଚିଠି ଲେଖିଥିଲେ  । ମହୁଆଙ୍କୁ ନିଲମ୍ବନ କରିବା ପାଇଁ ସେ ଅଧ୍ୟକ୍ଷଙ୍କୁ ସୁପାରିଶ କରିଥିଲେ  । ବିଜେପି ସାଂସଦ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସାଂସଦ କାଳରେ ମହୁଆ ଯେଉଁ ୬୧ଟି ପ୍ରଶ୍ନ ପଚାରିଛନ୍ତି ସେଥିରୁ ୫୦ଟି ପ୍ରଶ୍ନ ଅଦାନୀ ଗ୍ରୁପ ଉପରେ ଫୋକସ ଥିଲା  । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ବ୍ୟବସାୟିକ ଲାଭକୁ ଧ୍ୟାନ ରଖି ସେ ଅପରାଧିକ ଷଡଯନ୍ତ୍ର ରଚିଛନ୍ତି  । ଏଥିରେ କୌଣସି ସନ୍ଦେହ ନାହିଁ  । ଏହି ପୁରା ପ୍ରକ୍ରିୟା ୧୨ ଡିସେମ୍ବର ୨୦୦୫ର କେସ ଫର କ୍ବରି କଥା ମନେ ପକାଇ ଦେଉଛି  ।

 

ସେହିପରି ବିଜେପି ସାଂସଦ ନିଶିକାନ୍ତ ଦୁବେ ଏନେଇ ସବୁ ପ୍ରମାଣପତ୍ର ଓକିଲ ଜୟ ଅନନ୍ତ ଦେହାଦ୍ରଇଙ୍କୁ ଦେଇଥିବା କହିଛନ୍ତି  । ସେ ଦାବି କରିଛନ୍ତି ଯେ ମହୁଆ ଓ ବ୍ୟବସାୟୀ ଦର୍ଶନଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି  । କିନ୍ତୁ ମହୁଆ ଏହି ଅଭିଯୋଗକୁ ଖଣ୍ଡନ କରି ନିଶିକାନ୍ତ ଦୁବେ ଓ ଅନନ୍ତ ଦେହାଦ୍ରଇଙ୍କୁ ନୋଟିସ ପଠାଇଥିଲେ  । ମହୁଆ କହିଛନ୍ତି ଏଭଳି ଅଭିଯୋଗ ମିଥ୍ୟା ଓ ଅପମାନଜନକ ଯାହାର କୌଣସି ପ୍ରମାଣ ନାହିଁ  ।