ରୋହିତଙ୍କ ବିଶ୍ୱାସ ଜିତିଲେ ତିଲକ, କହିଲେ ମୋ ରୋଜଗାରରେ ବାପାମାଆଙ୍କ ପାଇଁ ଘର କିଣିବି

1 min read

ମୁମ୍ୱାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏକ ଏମିତି ପ୍ଲାଟଫର୍ମ ଯେଉଁଠାରେ ନବାଗତମାନେ ନିଜକୁ ପ୍ରମାଣିତ କରିଥାନ୍ତି । ଏହି ଲିଗରେ ଖେଳାଳିଙ୍କ ଖେଳ ଉପରେ ସମସ୍ତଙ୍କ ନଜର ରହିଥାଏ । ତିଲକ ବର୍ମା ମଧ୍ୟ ଏହିପରି ଜଣେ ଯୁବ ଖେଳାଳି । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ଏପର୍ଯ୍ୟନ୍ତ କେବଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି ଏବଂ ଏଥିରେ ସେ ନିଜକୁ ପ୍ରମାଣିତ କରିଛନ୍ତି । ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ନିଲାମୀରେ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୭ କୋଟିରେ କିଣିଛି । ପ୍ରଥମ ଦୁଇଟି ମ୍ୟାଚରେ ସେ ୨୨ ଏବଂ ୬୧ ରନ୍ ସ୍କୋର କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ହାର ୧୭୨.୯୧ ରହିଛି ।

ତିଲକ ବର୍ମା ରୋହିତ ଶର୍ମାଙ୍କ ବିଶ୍ୱାସ ଜିତିଛନ୍ତି । କିନ୍ତୁ ଏଠାରେ ପହଞ୍ଚିବା ପାଇଁ ତିଲକଙ୍କ ଯାତ୍ରା ସହଜ ନଥିଲା । ହାଇଦ୍ରାବାଦର ଏହି ୧୯ ବର୍ଷର ବାଳକଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା  । ସେ ଜୁନିଅର କ୍ରିକେଟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ମା ଅଣ୍ଡର -୧୯ ବିଶ୍ୱକପ ୨୦୨୦ ରେ ଏକ ସୁଯୋଗ ପାଇଥିଲେ ବି ତାଙ୍କର ପ୍ରଦର୍ଶନ ଏତେଟା ସନ୍ତୁଷ୍ଟ ଜନକ ନଥିଲା । ଏହା ସତ୍ତ୍ୱେ ଘରୋଇ କ୍ରିକେଟରେ ତାଙ୍କର ଭଲ ପ୍ରଦର୍ଶନ ତାଙ୍କୁ ଆଇପିଏଲ୍ ରେ ସ୍ଥାନ ଦେଇଥିଲା । ତେବେ ସେ ତାଙ୍କ ଘରର ଆର୍ଥିକ ସ୍ଥିତି ବିଷୟରେ କହି ତାଙ୍କ ବାପାମାଆଙ୍କ ପାଇଁ ନୂଆ ଘର କିଣିବା କଥା କହିଥିଲେ ।

ଏକ ସାକ୍ଷାତକାରରେ ବର୍ମା କହିଛନ୍ତି, “ଯେତେବେଳେ ମୁଁ ବଡ଼ ହେଉଥିଲି ସେତେବେଳେ ମୋ ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲା । ମୋ ବାପାଙ୍କ ସୀମିତ ବେତନରେ ମୋ କ୍ରିକେଟ୍ ଖର୍ଚ୍ଚ ଏବଂ ମୋ ବଡ଼ ଭାଇଙ୍କ ପଢା ଖର୍ଚ୍ଚ ହେଉଥିଲା । ଗତ କିଛି ବର୍ଷ ମଧ୍ୟରେ, କିଛି ପ୍ରାୟୋଜକ ଏବଂ ମ୍ୟାଚ୍ ସହିତ, ମୁଁ କୌଣସି ପ୍ରକାରେ ମୋର କ୍ରିକେଟ୍ ଖର୍ଚ୍ଚ ବହନ କରିପାରିଲି । ‘ଆମର ନିଜ ଘର ନାହିଁ । ତେଣୁ ମୁଁ ଆଇପିଏଲରୁ ଯାହା ରୋଜଗାର କରିଛି, ମୋର ଏକମାତ୍ର ସ୍ୱପ୍ନ ହେଉଛି ମୋର ବାପାମାଆଙ୍କ ପାଇଁ ଘର କରିବା । ଯେତେବେଳେ ସେ ଆଇପିଏଲ ପାଇଁ ମନୋନୀତ ହୋଇଥିଲେ, ସେତେବେଳେ ତାଙ୍କ ପରିବାର ଏବଂ ପ୍ରଶିକ୍ଷକ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଯେଉଁ ଦିନ ଆଇପିଏଲ ନିଲାମ ଚାଲିଥିଲା, ମୁଁ ମୋର କୋଚଙ୍କ ସହ ଏକ ଭିଡିଓ କଲ କରୁଥିଲି । ଯେତେ ଯେତେ ମୋର ନିଲାମିର ମୂଲ୍ୟ ବଢୁଥାଏ ସେତେ ସେତେ ମୋ କୋଚଙ୍କ ଆଖିରେ ଲୁହ ଆସୁଥିଲା । ଯେତେବେଳେ ମୁଁ ମନୋନୀତ ହେଲି ସେତେବେଳେ ମୁଁ ମୋ ବାପାମାଆଙ୍କୁ ଜଣାଇ ଥିଲି । ମୋ କଥା ଶୁଣି ସେମାନେ ମଧ୍ୟ କାନ୍ଦି ପକାଇଥିଲେ । ମୋ ମା ଏତେ ଭାବପ୍ରବଣ ହୋଇଗଲେ ଯେ ତାଙ୍କ ପାଟିରୁ ଶବ୍ଦ ବାହାରିଲା ନାହିଁ ।