୨୪ ଦିନରେ ପହଞ୍ଚିଲା ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

କଲମ୍ବୋ: ଆର୍ଥିକ ସଂକଟଗ୍ରସ୍ତ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ୨୪ ଦିନରେ ପହଞ୍ଚିଛି  । ଶ୍ରୀଲଙ୍କାର ଆର୍ଥିକ ଦୁର୍ଦ୍ଦଶା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି ଲୋକେ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ମାହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବି ଜୋରଦାର ହୋଇଛି । କଲମ୍ବୋ ଓ ବିଭିନ୍ନ ସହରରେ ସରକାରୀ ବିରୋଧୀ ବିକ୍ଷୋଭରେ ସବୁ ବର୍ଗର ଲୋକ ସାମିଲ ହୋଇଛନ୍ତି । ରାଜପକ୍ଷ ସରକାର ବିରୋଧରେ ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସାଂସଦମାନଙ୍କୁ ଅନୁରୋଧ କରି ଏକ ଅଭିଯାନ ଆରମ୍ଭ କରାଯାଇଛି । ଶ୍ରୀଲଙ୍କାରେ ଗତକାଲି ରାଷ୍ଟ୍ରପତି ଭବନ ଆଗରେ ଜୋରଦାର ବିକ୍ଷୋଭ ହୋଇଛି । ଆନ୍ଦୋଳନରେ ଧାର୍ମିକ ନେତା, ଛାତ୍ରଛାତ୍ରୀ, ସାମଜିକ କର୍ମୀ, ସାମ୍ବାଦିକ ଓ କଳାକାର ସାମିଲ ଅଛନ୍ତି । ଆର୍ଥିକ ଓ ରାଜନୈତିକ ସଂକଟ ମଧ୍ୟରେ ଆସନ୍ତାକାଲି ଶ୍ରୀଲଙ୍କା ପାର୍ଲାମେଣ୍ଟର ଅଧିବେଶନ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ମାହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ । ଶ୍ରୀଲଙ୍କାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ଏ ବାବଦରେ ସୂଚନା ଦେଇଛନ୍ତି ।