‘ମହିଳା ସଂରକ୍ଷଣ ଦ୍ୱାରା ରାଜନୈତିକ ବ୍ୟବସ୍ଥାକୁ ଭଲ ବ୍ୟକ୍ତି ଆସିବେ ବୋଲି ଗ୍ୟାରେଣ୍ଟି ନାହିଁ’

1 min read

ଭୁବନେଶ୍ୱର: ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ ଜରୁରୀ କି ? ଏହା ଦ୍ୱାରା ରାଜନୈତିକ ବ୍ୟବସ୍ଥାରେ କୌଣସି ବଡ ଧରଣର ପରିବର୍ତ୍ତନ ଆସି ପାରିବ ? ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନନ୍ଦିଘୋଷ ଟିଭି-ସକାଳ କନକ୍ଲେଭ୍ ‘ଦୁହିତା’ରେ ଏହା ଉପରେ ମତ ରଖିଛନ୍ତି ପୁଡୁଚେରିରର ପୂର୍ବତନ ଉପ-ରାଜ୍ୟପାଳ କିରନ ବେଦୀ ।

ଦିଲ୍ଲୀରୁ ଭର୍ଚୁଆଲ ଭାବେ ଯୋଗ ଦେଇ କିରନ ବେଦୀ କହିଥିଲେ ଯେ, ରାଜନୈତିକ ବ୍ୟବସ୍ଥା ମଧ୍ୟକୁ ଅଧିକରୁ ଅଧିକ ମହିଳା ଆସିବା ଆବଶ୍ୟକ । ଏହାଦ୍ୱାରା ସମାଜରେ ରାଜନୈତିକ ସନ୍ତୁଳନ ବୃଦ୍ଧି ପାଇବ । କିନ୍ତୁ ଜରୁରୀ ନୁହେଁ ଯେ, ସଂରକ୍ଷଣ ମିଳିଗଲେ ଭଲ ଲୋକ ରାଜନୀତିକୁ ଆସିଯିବେ । ସେମାନେ ପୁରୁଷଙ୍କଠାରୁ ଭଲ ହେବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଜରୁରୀ ହେଉଛି ରାଜନୈତିକ ବ୍ୟବସ୍ଥା ଭିତରକୁ ଭଲ ଭାବମୂର୍ତ୍ତିର ବ୍ୟକ୍ତିଙ୍କ ପ୍ରବେଶ । ଏଭଳି ଲୋକ ଆସିବା ଆବଶ୍ୟକ ଯେଉଁମାନେ ଭଲ ହୋଇଥିବା ଆବଶ୍ୟକ । ସଂରକ୍ଷଣ ମାଗିବା ଠିକ୍ କିନ୍ତୁ ଭଲ ଲୋକ ଆବଶ୍ୟକ । ମହିଳା ହୁଅନ୍ତୁ କି ପୁରୁଷ ରାଜନୀତିକୁ ଭଲ ବ୍ୟକ୍ତି ଆବଶ୍ୟକ ।

କିରନ ବେଦୀ ଆଜିର ସମୟରେ ସାହସ ରଖି ଓ ନିଜ ମଧ୍ୟରେ ସହଯୋଗ ରଖି ଆଗକୁ ବଢିବା ଆବଶ୍ୟକ ବୋଲି କହିଥିଲେ । ମହିଳାଙ୍କ ଆର୍ଥିକ ସ୍ୱାଧିନତା ଉପରେ ସେ ଅଧିକ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ମହିଳା ନିଜକୁ ଦୁର୍ବଳ ଭାବନ୍ତି । ଆପଣ ଯେପର୍ଯ୍ୟନ୍ତ ଅର୍ଥନୈତିକ ଭାବେ ସ୍ୱାବଳମ୍ବି ନହେବେ ସେପର୍ଯ୍ୟନ୍ତ ନିର୍ଯାତିତ ହେବେ । ତେଣୁ କାହା ଉପରେ ନିର୍ଭରଶୀଳ ନହେବାକୁ ସେ ପରାମର୍ଶ ଦେଇଥିଲେ । ଯଦି ମହିଳାଙ୍କର ନିଜର ଘର ଥିବ ,ନିଜ ରୋଜଗାର ଥିବ ତେବେ କାହାକୁ ଡରିବାର ନାହିଁ ବୋଲି କିରନ ବେଦୀ କହିଥିଲେ।

ଶିକ୍ଷା ଜରୁରୀ କିନ୍ତୁ ଆମ ଶିକ୍ଷା ଘୋଷାପାଠ । ତେଣୁ କୌଶଳ ଅର୍ଜନର ଆବଶ୍ୟକତା ରହିଛି । କେବଳ ଚାକିରି ଖୋଜିବା କଥା ନୁହେଁ । ଆପଣ ଅନ୍ୟକୁ କାମ ଦେବାର କ୍ଷମତା ବିକଶିତ କରିବା ଉଚିତ । ଛୋଟ କାମ କର କିନ୍ତୁ ନିଜ କାମ କର ବୋଲି ସେ ପରାମର୍ଶ ଦେଇଥିଲେ ।
ମହିଳାଙ୍କୁ କର୍ମକ୍ଷେତ୍ରରେ ଉତ୍କର୍ଷତା ପାଇଁ ପରିବାର ସହଯୋଗ ଜରୁରୀ । କାର୍ଯ୍ୟକ୍ଷେତ୍ର ଓ ଘର ମଧ୍ୟରେ ସାମଂଜସ୍ୟ ରଖିବା ପାଇଁ ପ୍ରଫେସନାଲ କାଉନସିଲିଂ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

Leave a Reply