ରାଜ୍ୟରେ ଖାଇବା ତେଲର ଅଭାବ, ଦର ଉପରେ ଜିଲ୍ଲାପାଳ ରଖିବେ ନଜର

1 min read

ଖାଇବା ତେଲର କୁତ୍ରିମ

ଭୁବନେଶ୍ୱର: ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି ଯାଦବ । ଜିଲ୍ଲାରେ ଚାହିଦା ମୁତାବକ ଖାଇବା ତେଲ ଷ୍ଟକର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଲର ଓ ଷ୍ଟକିଷ୍ଟଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୋରା ବେପାର ଓ ଅତ୍ୟଧିକ ମୂଲ୍ୟବୃଦ୍ଧି ରୋକିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘମାଘୋଟା ଯୁଦ୍ଧ ପାଇଁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ତୈଳ ଦର । ୟୁକ୍ରେନରେ ଯୁଦ୍ଧ ଯୋଗୁଁ ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲର ଅଭାବ ଦେଖାଦେଇଛି । ଯୁଦ୍ଧ ଯୋଗୁଁ ପାମୋଲିନ୍ ତେଲ ଲିଟର ପିଛା ୩୦ ଟଙ୍କା ବଢ଼ିଛି । ସେହିପରି ସନଫ୍ଲାଓ୍ୱାର ତେଲ ବି ଆକାଶ ଛୁଆଁ ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଯେତିକି  ତୈଳ ଗଚ୍ଛିତ ରହିଛି ତାହା ସପ୍ତାହକ ମଧ୍ୟରେ ସରିଯିବ । ଯଦି ବିଦେଶରୁ ତୈଳ ଆମଦାନୀ ନହୁଏ ତାହାଲେ ସ୍ଥିତି ସଙ୍ଗୀନ ହେବ । ଏଭଳି ସ୍ଥିତିରେ ପଦକ୍ଷେପ ନିଆନଗଲେ ଆସନ୍ତା ସପ୍ତାହକ ମଧ୍ୟରେ ତେଲ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ଦେଇଥିଲେ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

ଅନ୍ୟପଟେ ରାଜ୍ୟରେ ଖାଇବା ତେଲର ଅଭାବକୁ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୮0% ସୂର୍ଯ୍ୟମୁଖୀ ତେଲ ୟୁକ୍ରେନ ଓ ଋଷରୁ ଆମଦାନୀ ହୋଇଥାଏ । ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ ଓ ଦରବୃଦ୍ଧିର ସମ୍ଭାବନା ଅଛି । କେନ୍ଦ୍ର ଆମଦାନୀ ଓ ଅନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ କରିବା ଉଚିତ । ନଚେତ ଦରବୃଦ୍ଧି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଭାରତରେ ବାର୍ଷିକ ୧ କୋଟି ୯୦ ଲକ୍ଷ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ସେଥିରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ତେଲ ଭାରତ ୟୁକ୍ରେନରୁ ଆମଦାନୀ କରିଥାଏ । ଯୁଦ୍ଧ ଲାଗି ରହିଥିବାରୁ ଯୁକ୍ରେନରୁ ତେଲ ଆସିବା ବନ୍ଦ ହୋଇଛି । ଓଡ଼ିଶାରେ ବାର୍ଷିକ ୬ ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲର ଚାହିଦା ଥିବାବେଳେ, ସେଥିରୁ ୨୫ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଲୋକେ ବ୍ୟବହାର କରିଥାନ୍ତି ।

 

Leave a Reply