ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତିନି ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା, ଖୋଜୁଛି ଏହି ସବୁ ପ୍ରଶ୍ନର ଉତ୍ତର

1 min read

ଭୁବନେଶ୍ୱର:  ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ। କେମିତି ପୋଡ଼ିହେଲେ ସୌମ୍ୟ? ହତ୍ୟା, ଆତ୍ମହତ୍ୟା ନା ଅଘଟଣ, ଘଟଣାର ସବୁ ଦିଗକୁ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ। ପୋଡ଼ି ହେବା ପରେ ସୌମ୍ୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମେଡିକାଲର ତିନି ଡାକ୍ତରଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍। ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତର ଓ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ଡିଏମ୍ଓ ପ୍ରମୋଦ କୁମାର ପଣ୍ଡା, ଡାକ୍ତର କିଶୋର ଚନ୍ଦ୍ର ବେହେରା ଏବଂ ଅଭିଳାଷ ପଣ୍ଡାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ହସପିଟାଲକୁ ଆସିବା ବେଳେ କିଭଳି ସ୍ଥିତିରେ ଥିଲେ ସୌମ୍ୟ? ସୌମ୍ୟଙ୍କ ଶରୀରର କେତେ ଅଂଶ ପୋଡି ହୋଇଥିଲା? ମୃତ୍ୟୁକାଳୀନ ଜମାନବନ୍ଦୀ ଦେବା ସ୍ଥିତିରେ ଥିଲେ କି? ଠିକ୍‌ରେ କଥାବାର୍ତ୍ତା କରିପାରୁଥିଲେ କି ସୌମ୍ୟ? ହସପିଟାଲରେ ଥିବା ସମୟରେ ଘରେ କାହା ସହ ଫୋନ୍‌ରେ କଥା ହୋଇଥିଲେ କି? ଚିକିତ୍ସା କରିବା ସମୟରେ ଘଟଣା ନେଇ କିଛି କହିଥିଲେ କି ସୌମ୍ୟ? ମେଡିକାଲରେ ସୌମ୍ୟଙ୍କୁ କିପରି ଚିକିତ୍ସା କରିଥିଲେ? ହସପିଟାଲ୍‌ ଆଣିବାରେ ବିଳମ୍ବ ହୋଇଥିଲା କି? ଏଭଳି ବିଭିନ୍ନ ପ୍ରସଙ୍ଗରେ ଗୁଡ଼େଇ ତୁଡ଼େଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।

ଗତ ଦୁଇ ଦିନ ଧରି ସୌମ୍ୟଙ୍କ ସହଯୋଗୀ ଏସିଏଫ୍, ବନ କର୍ମଚାରୀ, ରୋଷେୟା ଓ ରାତ୍ରି ଜଗୁଆଳିଙ୍କୁ ଜେରା କରାଯାଇଛି । ସୌମ୍ୟଙ୍କ ସରକାରୀ ବାସଭବନରେ ତନ ତନ କରି ଯାଞ୍ଚ କରିବା ସହ ତଦନ୍ତକାରୀ ଅଧିକାରୀଙ୍କଠାରୁ ଦସ୍ତାବିଜକୁ ଅନୁଧ୍ୟାନ କରାଯାଇଛି । ଆସନ୍ତାକାଲି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବାର ସମ୍ଭାବନା ରହିଛି। ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ ପୂରିଥିବା ବେଳେ ମୃତ୍ୟୁ ଉପରୁ ହଟିପାରୁନି ସସପେନ୍ସ, ଯାହାକୁ ନେଇ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ

Leave a Reply