ପ୍ରସନଜିତଙ୍କ ପରିବାରର ମହାନତା, ମୃତ୍ୟୁ ପରେ ଅଙ୍ଗଦାନ କରି ୪ ଜଣଙ୍କୁ ଦେଲେ ନୂଆ ଜୀବନ

1 min read

ଭୁବନେଶ୍ୱର: ଅଙ୍ଗଦାନ ମହାପୁଣ୍ୟ । ଗୋଟିଏ ଜୀବନ ବଦଳରେ ଗୋଟିଏ ଶରୀରର ୫ ଟି ଅଙ୍ଗ ଦାନ କରି ବହୁମୂଲ୍ୟ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ବାଙ୍କୀ ଅଞ୍ଚଳର ପ୍ରସନଜିତ ମହାନ୍ତିଙ୍କ ପରିବାର । ସାରା ରାଜ୍ୟରେ ଏଭଳି ବିରଳ ପ୍ରତିରୋପଣ କରି ଚିକିତ୍ସା ବିଜ୍ଞାନରେ ଉଦାହରଣ ସୃଷ୍ଟି କରିଛି Sum Ultimate । ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ Sum Ultimate ରେ ଭର୍ତ୍ତି ହୋଇଥିଲେ ୪୩ ବର୍ଷୀୟ ପ୍ରସନଜିତ। ବ୍ରେନ ଡେଡ ହୋଇଯିବା ନେଇ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହାପରେ ରକ୍ତ ସମ୍ପର୍କୀୟ ଦେଖାଇଥିଲେ ମହାନତା ।

ଗୋଟିଏ ଶରୀରରୁ ୨ ଟି ବୃକକ, ୨ ଟି ଫୁସଫୁସ ଓ ଗୋଟିଏ ଯକୃତ ଦାନ କରି ଓଡିଶା ଚିକିତ୍ସା ଇତିହାସରେ ସୃଷ୍ଟି କରିଥିଲେ ବିରଳ ଉଦାହରଣ । କୁହାଯାଏ ଅଙ୍ଗଦାନ ମହାପୁଣ୍ୟ, କିନ୍ତୁ ଛାତିକୁ ପଥର କରି ଅନ୍ୟର ଜୀବନ ବଞ୍ଚାଇବାର ସାହସ, ବାସ୍ତବରେ ସମାଜ ପାଇଁ ବେଶ ପ୍ରେରଣାଦାୟୀ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ୪୫ ଦିନ ଧରି ମୃତ୍ୟୁ ସହ ଲଢ଼ୁଥିବା ୧୬ ବର୍ଷୀୟ ଯୁବକକୁ ୨ ଟି ଫୁସଫୁସ, ଦିଲ୍ଲୀରେ ଅନ୍ୟ ଜଣେ ଗୁରୁତର ରୋଗୀଙ୍କୁ ଯକୃତ ପ୍ରତିରୋପଣ କରାଯାଇଛି । ସେହିପରି ୨ ଟି ବୃକକକୁ କଟକ ବଡ଼ ମେଡିକାଲରେ ସରଂକ୍ଷିତ ରଖାଯାଇଛି ।

କମିଶନରେଟ ପୋଲିସର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରୀନ କରିଡର କରାଯାଇ ଅଙ୍ଗ ଗୁଡିକୁ ବାହାର ରାଜ୍ୟକୁ ପଠାଯାଇଛି । Sum Ultimate ୨୦ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅସମ୍ଭବକୁ ସମ୍ଭବ କରିଛନ୍ତି । ପ୍ରସନ୍ନଜୀତଙ୍କ ଏଭଳି ଅକାଳ ବିୟୋଗ ବେଳେ ପତ୍ନୀ ମୃଦୁ ମଞ୍ଜରୀଙ୍କୁ ଚାକିରି ଦେଇ ମାନବିକତା ବଞ୍ଚିଥିବା ଆଉ ଥରେ ପ୍ରମାଣ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ନ୍ୟାସନାଲ ଅର୍ଗାନ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନର ତଥ୍ୟରୁ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଓଡ଼ିଶାରେ ସମୁଦାୟ ୨୭୧ ଜଣ ଜୀବିତ ବ୍ୟକ୍ତି ଅଙ୍ଗ ଦାନ କରିଥିବା ଜଣାପଡିଛି । ପ୍ରତ୍ୟେକ ଦିନ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ୧୭ ଜଣ ପ୍ରାଣ ହରାଉଥିବା ବେଳେ ଲୋକେ ଅଙ୍ଗଦାନ ଦିଗରେ ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି ।