ତାଲିବାନକୁ କାଙ୍ଗାଳ କରିବାକୁ ଆମେରିକାର ଫାଇନାନ୍ସ ୱାର

ୱାଂସିଟନ: କାବୁଲ ଉପରେ ତାଲିବାନ ଯେତିକି ସହଜରେ କବଜା ଜମେଇଛି ତା’ ପାଇଁ ଦେଶର ଅର୍ଥନୀତିକୁ ସମ୍ଭାଳିବା ସେତିକି କଷ୍ଟ ହେବ । କାରଣ ଆମେରିକା ବୁଧବାର ଦିନ ଏମିତି କିଛି କରିଛି ଯାହା ଏହି ଆତଙ୍କବାଦୀ ସଂଗଠନରୁ ବୈଧ ଶାସକ ହେବାକୁ ଯାଉଥିବା ଗୋଷ୍ଟୀକୁ ଅର୍ଥନୈତିକ ଭାବେ ବାଧିବ । ଆମେରିକା ରାଷ୍ଟ୍ରପତି ଜ ବାଇଡେନ୍ ନିଜ ଦେଶର ବ୍ୟାଙ୍କରେ ଥିବା ଆଫଗାନିସ୍ତାନର ଅର୍ଥକୁ ଜବତ କରିବାକୁ ଆଦେଶ ଦେଇଛନ୍ତି । ଯାହାର ଅର୍ଥ ଦେଶକୁ ଚଳାଇବା ପାଇଁ ତାଲିବାନକୁ ପାଣ୍ଠି ଯୋଗାଡ କରିବା କଷ୍ଟକର ହୋଇ ପଡିବ ।

ଜଣେ ଆଫଗାନ ଅଧିକାରୀଙ୍କ ଅନୁସାରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ ଆଫଗାନିସ୍ତାନ ବ୍ୟାଙ୍କ ପାଖରେ ବିଦେଶୀ ମୁଦ୍ରା,ସୁନା ଓ ଅନ୍ୟ ଧନ ରହିଛି । ତେବେ କେତେ ଟଙ୍କା ବ୍ୟାଙ୍କ ପାଖରେ ଅଛି ସେ ନେଇ କୌଣସି ତଥ୍ୟ ସେ ଦେଇ ନାହାନ୍ତି । ତେବେ ସମ୍ପତ୍ତିର ଗୋଟିଏ ବଡ ଭାଗ ଦେଶ ବାହାରେ ବିଶେଷକରି ଆମେରିକାରେ ଅଛି । ଏମିତିରେ ତାଲିବାନ ପାଇଁ ଆମେରିକାର ବ୍ୟାଙ୍କର ଥିବା ସମ୍ପତ୍ତି ପାଇବା କାଠିକର ପାଠ ହୋଇପଡିବ ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଗନି ଦେଶ ଛାଡିବା ପରେ ଆଫଗାନିସ୍ତାନ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଦେଶ ଛାଡି ଦେଇଛନ୍ତି । ରବିବାର ଦିନ ସେ ଟ୍ୱିଟ୍ କରି ଏସମ୍ପର୍କିତ ସୂଚନା ଦେଇଛନ୍ତି । ଅର୍ନ୍ତଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଏପ୍ରିଲ ସୁଧା ଆଫଗାନିସ୍ତାନ ପାଖରେ ପାଖାପାଖି ୯.୪ ବିଲିୟନ ଡଲାରର ସଂରକ୍ଷିତ ବୈଦେଶିକ ମୁଦ୍ରା ଥିଲା । ଯାହାକି ଦେଶର ବାର୍ଷିକ ବଜେଟର ଏକ ପ୍ରତିଶତ ଅଟେ । ତେବେ ତାଲିବାନ ପାଇଁ ସମସ୍ୟା ହେଉଛି ଏହି ଟଙ୍କାର ବଡ଼ ଭାଗ ଆଫଗାନିସ୍ତାନ ବଦଳରେ ଆମେରିକାରେ ଅଛି । ଏମିତିରେ ଆମେରିକାରୁ ଟଙ୍କା ଫେରାଇ ଆଣିବା ତାଲିବାନ ପାଇଁ ସହଜ ହେବ ନାହିଁ । ଆମେରିକ ଯେଉଁଭଳି ଭାବେ ନିଜ ଆଫଗାନିସ୍ତାନ ନୀତି ପାଇଁ ଅପମାନିତ ହେଉଛି, ସେଭଳି ପରିସ୍ଥିତିରେ ଏହି ଟଙ୍କାକୁ ତାଲିବାନ ହାତକୁ ଟେକି ଦେବା ଆମେରିକା କେବେ ମଧ୍ୟ ଚାହିଁବ ନାହିଁ  ।

Leave a Reply