ଜଗଦ୍ଦେବେଙ୍କୁ ଦଳ ସେପ୍ଟେମ୍ବରରୁ ନିଲମ୍ବନ କରିଛି

ଭୁବନେଶ୍ୱର: ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଉପରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଛନ୍ତି ପ୍ରତିକ୍ରିୟା । ଗଣତନ୍ତ୍ରରେ ହିଂସା କେବେ ଗ୍ରହଣଯୋଗ୍ୟ ନୁହେଁ । ଯିଏ ମଧ୍ୟ ହିଂସାରେ ଲିପ୍ତ ତାହା ସର୍ବଦା ଭୁଲ   । ସେହିପରି ପିନାକୀ କହିଛନ୍ତି,  ‘ପୂର୍ବରୁ ବିଧାୟକଙ୍କ ଖରାପ ଆଚରଣକୁ ନେଇ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ନିଲମ୍ବିତ କରିଥିଲେ  । ଦଳର ସମ୍ବିଧାନ ଅନୁଯାୟୀ ଯେଉଁ ସଦସ୍ୟ, ୩ ମାସ ଧରି ନିଲମ୍ବିତ ରୁହନ୍ତି, ତାହାକୁ ବହିଷ୍କାର ବୋଲି ଧରିନିଆଯାଏ ’ ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  ପୂର୍ବରୁ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା  । ଯାହାକୁ ନେଇ ସେପ୍ଟେମ୍ବର 8 ତାରିଖରେ ବିଜେଡିରୁ ନିଲମ୍ବନ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ପୁନର୍ବାର ଶନିବାର ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଉପସ୍ଥିତ ରହିଥିବା ବିଜେପି କର୍ମକର୍ତ୍ତାଙ୍କ ଉପରେ ଗାଡ଼ି ମଡାଇ ଦେଇଥିଲେ ବିଧାୟକ  । ଯାହା ଅତ୍ୟନ୍ତ ବିଭତ୍ସ ରହିଥିଲା  । କେହି କିଛି ଜାଣିବା ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ରୁଣ୍ଡ ହୋଇଥିବା ଲୋକଙ୍କ ଉପରକୁ ଗାଡି ଚଢାଇଦେଇଥିଲେ  ।

ବିଧାୟକଙ୍କ ଗାଡି ଧକ୍କାରେ ପୋଲିସ କର୍ମଚାରୀଙ୍କ ସମେତ ୨୪ ଜଣ ଆହତ ହୋଇଛନ୍ତି  । ବିଧାୟକ ମଧ୍ୟ ଜନଆକ୍ରୋଶର ଶିକାର ହୋଇଛନ୍ତି  । ଉପସ୍ଥିତ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ଜଗଦ୍ଦେବ  । ସେପଟେ ପୋଲିସ କବଜାରେ ମଧ୍ୟ ରହିଛନ୍ତି  । କାରଣ ଜଗଦ୍ଦେବଙ୍କ ଏଭଳି ଅମାନବୀୟ କାରନାମାକୁ ଗୁରୁତର ସହ ନେଇଛି ପୋଲିସ ବିଭାଗ  । ସୁସ୍ଥ ହେବା ପରେ ଚିଲିକା ବିଧାୟକଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ  ।

ଅନ୍ୟପଟେ ବିଜେପି ରାଷ୍ଟ୍ରୀ ପ୍ରବକ୍ତା ସମ୍ବିତ ପାତ୍ର ଓଡିଶା ଗସ୍ତରେ ଆସି ପ୍ରଶାନ୍ତ ଜଗଦ୍ଦେବଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା ପ୍ରକଟ କରିଛନ୍ତି  । ଆହତ ମାନଙ୍କୁ ଭେଟିବା ସହ ଅଭିଯୁକ୍ତ ବିଧାୟକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରିଛନ୍ତି  । ଦଳରୁ କାହିଁକି ସେ ବହିଷ୍କୃତ ହୋଇନଥିବା ନେଇ ମଧ୍ୟ ପ୍ରଶ୍ନ କରିଥିଲେ ସମ୍ବିତ ପାତ୍ର  । ଏନେଇ ପୁରୀ ସାଂସଦ ପିନାକୀ ମିଶ୍ର ସ୍ପଷ୍ଟୀକରଣ ରଖିଛନ୍ତି  ।