ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏଣିକି ଛାତ୍ରଛାତ୍ରୀଙ୍କୁ ମନଇଚ୍ଛା ଆଡମିଶନ ଦେଇପାରିବେନି ସଂଖ୍ୟାଲଘୁ କଲେଜ

1 min read

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଘରୋଇ କଲେଜରେ ଆଡମିଶନକୁ ନେଇ  ବୁଧବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବଡ଼ଧରଣର ରାୟ ଦେଇଛନ୍ତି ।  ଏଣିକି ସଂଖ୍ୟାଲଘୁ କଲେଜରେ ଏମ୍‌ବିବିଏସ୍‌, ବିଡିଏସ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ କୋର୍ସ ପାଇଁ ଲାଗୁ ହେବ NEET ପାରୀକ୍ଷା । ଖାଲି ସେତିକି ନୁହେଁ ସୁପ୍ରିମ୍‌କୋର୍ଟ ସିଧାସଳଖ ଭାବେ କହିଛନ୍ତି ଯେ, ଏହି ନିୟମ ଲାଗୁ ଦ୍ୱାରା ସେମାନଙ୍କର କୌଣସି ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉ ନାହିଁ ।

ସଂଖ୍ୟାଲଘୁ କଲେଜ୍‌ ପାଇଁ NEET ଲାଗୁ କରିବାକୁ ବିରୋଧ କରି ସୁପ୍ରିମକୋର୍ଟରେ, ବେସରକାରୀ ଅଣସଂରକ୍ଷିତ ସଂଖ୍ୟାଲଘୁ ମହାବିଦ୍ୟାଳୟଗୁଡ଼ିକ ଏକ ପିଟିସନ ଦାଖଲ କରିଥିଲେ । ଏହା ସେମାନଙ୍କର ଧାର୍ମିକ ସ୍ୱାଧୀନତାର ମୌଳିକ ଅଧିକାର ବିରୋଧାଚରଣ କରୁଛି ବୋଲି ସେମାନେ ଯୁକ୍ତି କରିଥିଲେେ ।  ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତରେ ଗଠିତ  ବେଞ୍ଚ କହିଛନ୍ତି ଯେ, ଅଣସଂରକ୍ଷିତ ସଂଖ୍ୟାଲଘୁ ଅନୁଷ୍ଠାନରେ ଆଡମିଶନ ପାଇଁ NEET ଲାଗୁ କରିବା ଦ୍ୱାରା, ସେମାନଙ୍କର କୌଣସି ମୌଳିକ ଅଧିକାରର ଉଲ୍ଲଂଘନ ହେଉନାହିଁ ।

ମେଡିକାଲ୍ ସମ୍ବନ୍ଧୀୟ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET ବାଧ୍ୟତାମୂଳକ । 2016 ପୂର୍ବରୁ, AIPMT ଦ୍ୱାରା ଛାତ୍ରଛାତ୍ରୀମାନେ ମେଡିକାଲ ପାଠ୍ୟକ୍ରମରେ ଆଡ୍‌ମିଶନ୍‌ ପାଉଥିଲେ ।  କିନ୍ତୁ ୨୦୧୬ ପରେ, ଜାତୀୟ ସ୍ତରରେ କେବଳ ଗୋଟିଏ ପରୀକ୍ଷା ଆୟୋଜନ କରାଯାଉଛି । ଏହା ମାଧ୍ୟମରେ ଛାତ୍ରଛାତ୍ରୀ ସମସ୍ତ ମେଡିକାଲ କଲେଜଗୁଡ଼ିକରେ ଆଡମିଶନ ପାଇଥାନ୍ତି ।

NEETକୁ କାହିଁକି ବିରୋଧ ?

ବେସରକାରୀ ସଂଖ୍ୟାଲଘୁ ମେଡିକାଲ କଲେଜଗୁଡ଼ିକ NEETକୁ ବିରୋଧ କରୁଛନ୍ତି । ସେମାନଙ୍କର କହିବାନୁଯାୟୀ ସମ୍ବିଧାନର ଧାରା ୩୦ରେ ସଂଖ୍ୟାଲଘୁମାନଙ୍କୁ ଅଧିକାର ଦିଆଯାଇଛି ଯେ, ସେମାନେ ନିଜେ ନିଜର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଏବଂ ସମ୍ବିଧାନର ଧାରା ୩୦ ର ପାରା ୫୦ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ସଂଖ୍ୟାଲଘୁ ଅନୁଷ୍ଠାନମାନେ ନିଜ ପସନ୍ଦର ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେଇପାରିବେ ।

ବେସରକାରୀ ସଂଖ୍ୟାଲଘୁ ମେଡିକାଲ କଲେଜଗୁଡ଼ିକର ଆବେଦନକୁ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି କରାଯାଇଥିଲା । ତେବେ ଏନେଇ ଶୁଣାଣି ପରେ ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, NEET କୌଣସି ସଂଖ୍ୟାଲଘୁ ମହାବିଦ୍ୟାଳୟର ଅଧିକାର ଉଲ୍ଲଂଘନ କରୁନାହିଁ ।

Leave a Reply