‘ତାଣ୍ଡବ’କୁ ବଡ଼ ଝଟକା: ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ତାଣ୍ଡବ’ ୱେବ୍ ସିରିଜକୁ ମିଳିଲା ଆଉ ଏକ ବଡ଼ ଝଟକା। ଆଜି ସୁପ୍ରିମକୋର୍ଟ ୱେବସିରିଜର ନିର୍ଦ୍ଦେଶକ ତଥା ଅନ୍ୟ କଳାକାରଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି। ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ୱେବ ସିରିଜ ‘ତାଣ୍ଡବ’ରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରିବା ଓ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ସ୍ଥାନରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେଣୁ ଗିରଫ ଭୟରେ ଫିଲ୍ମର ନିର୍ମାତା ଓ କଳାକାର କୋର୍ଟଙ୍କ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଯାହାତକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ଅଭିବ୍ୟକ୍ତିର ସ୍ୱାଧୀନତା ଅସୀମିତ ନୁହେଁ। ଏଥିସହିତ କୌଣସି ଧାର୍ମିକ ଭାବନାକୁ ଆଘାତ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। ବର୍ତ୍ତମାନ ଏହି ସିରିଜର ନିର୍ମାତାଙ୍କ ବିରୁଦ୍ଧରେ ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଜାତିସୂଚକ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ୬ଟି ରାଜ୍ୟରେ ମାମଲା ରୁଜୁ ହୋଇଛି।

ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି, ୱେବ ସିରିଜ୍‌ର ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନେ ସାମାଜିକ ମୂଲ୍ୟବୋଧ, ଏକତା ଓ ହିନ୍ଦୁଙ୍କ ଧର୍ମୀକ ଭାବନାକୁ ଆଘାତ ଦେବା ଭଳି ଅପରାଧ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ସମସ୍ତ ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ମହାରାଷ୍ଟ୍ରର ଶିବସେନା ସରକାର ମଧ୍ୟ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି।

 

Leave a Reply