କରୋନା ସଙ୍କଟ ନେଇ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ଭର୍ସନା; ଶୁକ୍ରବାର ସୁଦ୍ଧା ଯବାବ ରଖିବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପରିଚାଳନା ସହ ଜଡିତ ଅକ୍ସିଜେନର ଅଭାବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଶୁଣାଣି କରିଛନ୍ତି। ସର୍ବୋଚ୍ଚ ଅଦାଲତ ଟିକା ମୂଲ୍ୟ, ଟିକା ଉପଲବ୍ଧତା, ଅକ୍ସି୍ଜେନ ସମେତ ଅନ୍ୟ କେତେକ ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି।

ତେବେ ଏ ନେଇ ଏପ୍ରିଲ 30 ଶୁକ୍ରବାର ଶୁଣାଣି ହେବ ବୋଲି ତିନିଜଣିଆ ଖଣ୍ଡପୀଠ କହିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ମଧ୍ଯ ଶୁକ୍ରବାର ସୁଦ୍ଧା ସମସ୍ତ ପ୍ରସଙ୍ଗରେ ଉତ୍ତର ରଖିବେ ବୋଲି କହିଛନ୍ତି।

ଲୋକଙ୍କ ଜୀବନ ରକ୍ଷା ପାଇଁ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବ:

ମଙ୍ଗଳବାର ଶୁଣାଣି କରି ଜଷ୍ଟିସ୍ ଡି.ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଯେବେ ଆମେ ଅନୁଭବ କରିବୁ ଯେ ଲୋକଙ୍କ ଜୀବନ ରକ୍ଷା ପାଇଁ ସୁପ୍ରିମ କୋର୍ଟକୁ ହସ୍ତକ୍ଷେପ କରିବା ଉଚିତ, ସେତେବେଳେ ଆମେ ହସ୍ତକ୍ଷେପ କରିବୁ। ଜଷ୍ଟିସ୍ ଏସ୍ ରବିନ୍ଦ୍ର ଚାନ୍ଦ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ମହାମାରୀ ସଙ୍କଟକୁ ମୁକାବିଲା କରିବା ପାଇଁ କେନ୍ଦ୍ରର ଜାତୀୟ ଯୋଜନା କ’ଣ ?  ଏବଂ ଏହାର ମୁକାବିଲା ପାଇଁ ଟୀକାକରଣ ମୁଖ୍ୟ ବିକଳ୍ପ କି?

ନିରବଦ୍ରଷ୍ଟା ସାଜିପାରିବନି ସୁପ୍ରିମ କୋର୍ଟ:

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ କେତେକ ଜାତୀୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଆବଶ୍ୟକ। ଏହା ବ୍ୟତୀତ ସୁପ୍ରିମକୋର୍ଟ ଜାତୀୟ ସଙ୍କଟ ସମୟରେ ନିରବଦ୍ରଷ୍ଟା ହୋଇପାରିବେ ନାହିଁ। ଯଦି ଆଞ୍ଚଳିକ ସୀମା ହେତୁ ହାଇକୋର୍ଟର କୌଣସି ସମସ୍ୟାର ମୁକାବିଲା କରିବାରେ ଅସୁବିଧା ହୁଏ, ତେବେ ଆମେ ସାହାଯ୍ୟ କରିବୁ।

ଜଷ୍ଟିସ ରବିନ୍ଦ୍ର ଭଟ ମଧ୍ଯ ଟିକା ମୂଲ୍ୟ ନେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ଭଟ ପଚାରିଛନ୍ତି ଯେ ‘ଟୀକାର ବିଭିନ୍ନ ନିର୍ମାତା ବିଭିନ୍ନ ମୂଲ୍ୟ ନେଇ ଆସୁଛନ୍ତି। କେନ୍ଦ୍ର ସରକାର ଏହା ବିଷୟରେ କ’ଣ କରୁଛନ୍ତି? ଜଷ୍ଟିସ ଭଟ କହିଛନ୍ତି ଯେ ପେଟେଣ୍ଟ ଆକ୍ଟର ଧାରା 6 ଅନୁଯାୟୀ ଡ୍ରଗ୍ କଣ୍ଟ୍ରୋଲର୍ ଆକ୍ଟର କ୍ଷମତା ରହିଛି। ଏହା ମହାମାରୀ ଏବଂ ଜାତୀୟ ସଙ୍କଟର ସମୟ। ତେବେ ଏହି କ୍ଷମତା ବ୍ୟବହାର କରିବାର ଏହା ଠିକ୍ ସମୟ ନୁହେଁ କି? ଏହାର ସମୟ ଆଉ କେବେ ଆସିବ?’

କେନ୍ଦ୍ର ସପକ୍ଷରେ ସଲିସିଟରଙ୍କ ଯୁକ୍ତି:

ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅମ୍ଳଜାନର ଅଭାବ ଏବଂ କରୋନା ମହାମାରୀର ପରିଚାଳନା ନେଇ କହିଛନ୍ତି ଯେ ଆମେ ପରିସ୍ଥିତିକୁ ଅତି ସତର୍କତାର ସହ ପରିଚାଳନା କରୁଛୁ। ଉଚ୍ଚ ସ୍ତରୀୟ କମିଟି ଏହା ଉପରେ କାର୍ଯ୍ୟ କରୁଛି ଏବଂ ପ୍ରଧାନମନ୍ତ୍ରୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଜାତୀୟ ପ୍ରସଙ୍ଗ ଏବଂ ଦେଶ ଏକାଠି ଛିଡା ହୋଇଛି। ଏହା ଆପ, ବାମ ଦଳ କିମ୍ବା ଅନ୍ୟ କୌଣସି ଦଳର ପ୍ରସଙ୍ଗ ନୁହେଁ। ସେ କହିଛନ୍ତି ଯେ ହାଇକୋର୍ଟ ହେଉ କିମ୍ବା ସୁପ୍ରିମକୋର୍ଟ ହେଉ କୌଣସି ସାମ୍ବିଧାନିକ ଅଦାଲତକୁ କେନ୍ଦ୍ର ବିରୋଧ କରିବ ନାହିଁ। କେନ୍ଦ୍ର ଉଚ୍ଚ ସ୍ତରୀୟ କମିଟି ସହିତ ସମସ୍ୟାର ସମାଧାନ କରୁଛି। ପ୍ରତ୍ୟେକ ଘଣ୍ଟାର ସ୍ଥିତିକୁ ଆଧାର କରି ବର୍ତ୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି।

 

Leave a Reply