ପୂର୍ଣ୍ଣମୀ ଜହ୍ନ ପାଇଁ ଉଦ୍ଧାର ହେଲା ଏଭର ଗିଭେନ୍, ଜାହଜରେ ଥିଲା ସେକ୍ସ ଟୟ

ଦୁନିଆ ଚିନ୍ତାରେ ଥିଲା । ଏସିଆ ଓ ୟୁରୋପକୁ ଯୋଡୁଥିବା ସୁଏଜ କେନାଲ ସପ୍ତାହେ ହେଲା ଥିଲା ଅଚଳ । କାରଣ ଥିଲା ଏକ ଦୈତ୍ୟ ଜାହଜ । ଜାହଜର ନାଁ ଥିଲା ଏଭର ଗିଭେନ୍ । ଏଭର ଗିଭେନ୍ ପବନ ପାଇଁ ହେଉ କି ମନୁଷ୍ୟକୃତ ତ୍ରୁଟି ପାଇଁ କେନାଲ କୂଳରେ ଲାଗିଯାଇଥିଲା । ଫଳରେ ଦୁଇପଟୁ ଜାହଜ ଚଳାଚଳ ବନ୍ଦ ଥିଲା । ବିଶ୍ୱର ୧୨ ପ୍ରତିଶତ ସାମୁଦ୍ରିକ ବ୍ୟବସାୟ ଯେଉଁ ଚ୍ୟାନେଲ ଦେଇ ହେଉଥିଲା ସେହି କେନାଲର ଦୁଇ ପଟେ ପାଖାପାଖି ୩୬୭ ଜାହଜ ଅଟକି ରହିଥିଲେ । ବିଶ୍ୱ ଅର୍ଥନୀତିକୁ ସାମୟିକ ଭାବେ ହେଉ ପଛେ ପ୍ରଭାବିତ ହୋଇସାରିଥିଲା । କାରଣ ସୁଏଜ କେନାଲ ଅଧିକ ଦିନ ବନ୍ଦ ରହିବା ଅର୍ଥ ଜାହଜଙ୍କୁ ଆଫ୍ରିକା ଚକ୍କର କାଟିବାକୁ ପଡିଥାନ୍ତା । କିନ୍ତୁ ସୋମବାର ଦିନ ସମୁଦ୍ରରୁ ଟ୍ରାଫିକ୍ ଜାମ୍ ହଟିଛି । ଏଭର ଗିଭେନ ପୁଣିଥରେ ସମୁଦ୍ର ଭିତରକୁ ଫେରି ନିଜ ଯାତ୍ରା ଆରମ୍ଭ କରିଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏଭର ଗିଭେନ୍ କେମିତି ସମୁଦ୍ରକୁ ପୁଣି ଫେରିଲା । ଏଭର ଗିଭେନ୍ ଉଦ୍ଧାରରେ ଦୁଇଟି କାରଣର ପ୍ରମ୍ମୁଖ ଭୂମିକା ରହିଛି । ଗୋଟିଏ ହେଉଛି ପୂର୍ଣ୍ଣିମା ଜହ୍ନ,ଅନ୍ୟଟି ହେଉଛି ଏଭର ଗିଭେନକୁ ଟକ୍କର ଦେବା ଭଳି ଆଉ ଏକ ଦୈତ୍ୟକାର ଜାହଜ ।

ସୁପର ମୁନ୍ ଆଣିଲା ସମୁଦ୍ରରେ ଜୁଆର

ଏଭର ଗିଭେନକୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ଦିନରାତି କାମ କରୁଥିଲେ । କିନ୍ତୁ ଏଭର ଗିଭେନ ଶୀଘ୍ର ବାହାରିବାର କୌଣସି ଆଶା ଦେଖାଯାଉନଥିଲା । ପ୍ରାୟ ୪୦୦ ମିଟର ଲମ୍ବ ଓ ୫୯ ମିଟର ଚଉଡା ଏହି ଜାହଜ କେନାଲର ଦୁଇ ପାର୍ଶ୍ୱକୁ ବ୍ଲକ କରିଥିଲା । ୧୯୩ କିମି ଲମ୍ବ ସୁଏଜ କେନାଲ ଭୂମଧ୍ୟ ସାଗର ଓ ଲୋହିତ ସାଗରକୁ ଯୋଡିଥାଏ । ଏହି କେନାଲ ଦେଇ ବିଶ୍ୱର ୩୦ ପ୍ରତିଶତ କ୍ୟାଣ୍ଟେନର ଓ ୧୨ ପ୍ରତିଶତ ସାମଗ୍ରୀ ପରିବହନ ହୋଇଥାଏ । ଏହି ମହାସଂକଟ ଭିତରେ ସୁପରମୁନ୍ ବା ପୂର୍ଣ୍ଣିମା ଜହ୍ନ ବରଦାନ ସାବ୍ୟସ୍ତ ହୋଇଥିଲା । ପୂର୍ଣ୍ଣିମା କାରଣରୁ ସମୁଦ୍ରରେ ଜୁଆର ଆସିଥିଲା । ଜୁଆର କାରଣରୁ ସମୁଦ୍ରରେ ପାଣି ବଢିଥିଲା । ଫଳରେ ଏଭରଗିଭେନକୁ ପୁଣି ରାସ୍ତା ମିଳିଥିଲା । ଏହା ପୁଣିଥରେ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲା । ସୁଏଜ କେନାଲ ବ୍ଲକ୍ ହଟିବା ପରେ ଦୁନିଆ ଏବେ ଶାନ୍ତିରେ ନିଶ୍ୱାସ ମାରିଛି । କାରଣ ଏହା ବନ୍ଦ ହେବାର ଅର୍ଥ ଥିଲା ବିଶ୍ୱ ଅର୍ଥନୀତି ନାଡି ପ୍ରଭାବିତ ହେବା ।

ଆଉ ଏକ ଦୈତ୍ୟ ଜାହଜ ପାଇଁ ହଟିଥିଲା ଟ୍ରାଫିକ୍ ଜାମ୍

ସୁପରମୁନ୍ ଏଭର ଗିଭେନକୁ ମୁକ୍ତି ଦେଇଥିଲା । କିନ୍ତୁ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲା ଆଉ ଏକ ବିଶାଳକାୟ ଜାହଜ । ଯାହା ଆକାରରେ ଏଭର ଗିଭେନକୁ ମଧ୍ୟ ଟକ୍କର ଦେଇ ପାରେ । ଏହି ଜାହଜର ନାମ ହେଉଛି ମାଶହୋର । ମାଶହୋର ଏଭର ଗିଭେନ୍ ତଳେ ଜମିଥିବା ବାଲିକୁ ବାହାର କରିଥିଲା । ମୋଟ ୨୭ ହଜାର କ୍ୟୁବିକ୍ ମିଟର ବାଲିକୁ ହଟାଯାଇଥିଲା । ଯାହା ମଧ୍ୟରୁ ଅଧାରୁ ଅଧିକ ମାଶହୋର ହଟାଇଥିଲା । ବାଲି ହଟିବା କାରଣରୁ ଟାଗ୍ ବୋଟଙ୍କୁ ଏଭର ଗିଭେନକୁ ଭିଡିକରି ପୁଣି ସମୁଦ୍ର ମଧ୍ୟକୁ ନେବାକୁ ସୁଯୋଗ ମିଳିଥିଲା । ଏଭର ଗିଭେନ୍ ସମୁଦ୍ର ଭିତରକୁ ଯିବା ପରେ ମାଶହୋରର ଚାଳକ ଦଳ ସଦସ୍ୟ ପାର୍ଟି କରିଥିଲେ । ବିଶ୍ୱକୁ ଏତେବଡ ସଂକଟରୁ ମୁକ୍ତି ଦେଇଥିବା ମାଶହୋର ଚାଳକ ଦଳ ନିଶ୍ଚୟ ପାର୍ଟିର ହକଦାର  ।

ଜାହଜରେ ଥିଲା ୨୦ କ୍ୟାଣ୍ଟେନର ସେକ୍ସ ଟୟ

ଏଭର ଗିଭେନ୍ ଜାହଜରେ ୧୮ ହଜାରରୁ ଅଧିକ କ୍ୟାଣ୍ଟନର ଥିଲା । ଏହି କ୍ୟାଣ୍ଟନେର ମଧ୍ୟରୁ ୨୦ଟିରେ କେବଳ ସେକ୍ସ ଟୟ ଥିଲା । ସେହିଭଳି ବାକି ଯେଉଁ ୩୬୭ ଜାହଜ ଅଟକି ରହିଥିଲେ ସେଥିରେ ଅନ୍ୟ ସାମଗ୍ରୀ ସହିତ କିଛି ପଶୁ ମଧ୍ୟ ଥିଲେ । ଅଧିକ ଦିନ ଧରି ଚ୍ୟାନେଲ ଲକ୍ ହୋଇଥିଲେ ଏହି ପଶୁଙ୍କ ବଂଚିବା ମୁସ୍କିଲ ହୋଇ ପଡିଥାନ୍ତା । ଏହା ସହିତ ଜାହଜଙ୍କୁ ଏସିଆରୁ ୟୁରୋପ ଯିବାକୁ ଆଫ୍ରିକା ଚକ୍କର କାଟିବାକୁ ପଡିଥାନ୍ତା । ଫଳରେ ଏସିଆରୁ ୟୁରୋପ କିମ୍ବା ୟୁରୋପରୁ ଏସିଆ ପହଂଚିବାକୁ ସମୁଦ୍ରରେ ଅଧିକ ୫ ହଜାର କିଲୋମିଟର ଯାତ୍ରା କରିବାକୁ ପଡିଥାନ୍ତା । ଆଫ୍ରିକା ଉପକୂଳ ସାମୁଦ୍ରିକ ଦସ୍ୟୁଙ୍କ କାରଣରୁ ସୁରକ୍ଷିତ ନୁହେଁ । ଯାହାର ଅର୍ଥ ହେଲା ବିଭିନ୍ନ ସାମଗ୍ରୀର ଦର ବଢିଥାନ୍ତା ।

Leave a Reply