spot_img

Latest Posts

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ପ୍ରତି କ୍ଷେତ୍ରର ବିକାଶ ନେଇ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନ ଉପରେ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଜୀବନ ଓ ଜୀବିକା କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା । କ୍ରମଶଃ ରାଜ୍ୟ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ଗତି କରୁଛି । ସାମାଜିକ ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୧୬୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।

ପ୍ରାୟତଃ ଦୁଇ ବର୍ଷ ପରେ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ ପ୍ରକ୍ରିୟା ସମୀକ୍ଷା ପାଇଁ ସମସ୍ତଙ୍କ ଉପସ୍ଥିତିରେ ବୈଠକ ଡକାଯାଇଥିବାରୁ ଏସ୍ଏଲବିସି ଆବାହକଙ୍କୁ ମନ୍ତ୍ରୀ ପୂଜାରୀ ଧନ୍ୟବାଦ ଜଣାଇଥିଲେ ଏବଂ କୋଭିଡ ମାର୍ଗଦର୍ଶିକାର ଉପଯୁକ୍ତ ଅନୁପାଳନ ଓ ଟିକାକରଣ ପ୍ରକ୍ରିୟା ଯୋଗୁଁ ଓଡ଼ିଶା କୋଭିଡ ସଂକ୍ରମଣ ପ୍ରତିହତ କରିବାରେ ଏକ ଅଗ୍ରଣୀ ରାଜ୍ୟ ବୋଲି ପ୍ରକାଶ କରିଥିଲେ  । ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ହିତାଧିକାରୀମାନଙ୍କ ପାଖରେ ପହଞ୍ଚାଇ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଅଭିବୃଦ୍ଧି ପାଇଁ ସର୍ବଦା ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସବୁଦାୟ ଗ୍ରାମପଞ୍ଚାୟତର ଦୁଇ-ତୃତୀୟାଂଶ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ଚଳିତ ଆର୍ଥିକ ବର୍ଷରେ ଏ ଦିଗରେ ମୁଖ୍ୟ ଶାଖା ବ୍ୟାଙ୍କଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ।

            ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଚଳିତ ବର୍ଷ ସମସ୍ତ ବ୍ୟାଙ୍କ ୧ଲକ୍ଷ ୧୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରି ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଥିବ ଲକ୍ଷ୍ୟ ହାସଲ କରିବାକୁ କହିଥିଲେ । ରାଜ୍ୟ ସରକାର କୃଷକ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ପ୍ରଦାନକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ଜିଲ୍ଲାପାଳମାନଙ୍କ ସହିତ ସମନ୍ୱୟ ରକ୍ଷା କରି ମୁଖ୍ୟ ବ୍ୟାଙ୍କଗୁଡ଼ିକ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ନଗଦ ଜମା ଅନୁପାତ ୬୧.୬୧ ପ୍ରତିଶତ ରହିଥିବା ବେଳେ ବ୍ୟାଙ୍କଗୁଡ଼ିକ ଖୁବ ଶୀଘ୍ର ଏହାକୁ ୬୫ରୁ୭୦ ପ୍ରତିଶତକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି  । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଋଣ ଯୋଗାଉଥିବା ସର୍ବୋତ୍କୃଷ୍ଟ ବ୍ୟାଙ୍କ ଶାଖାଗୁଡ଼ିକୁ ୨୦୨୦-୨୧ ବର୍ଷ ପାଇଁ ଚୟନ କରାଯାଇ ମୁଖ୍ୟମନ୍ତ୍ରୀ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ  । ବିଶେଷ କରି ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କ୍ଷେତ୍ରରେ ଅଧିକ ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀ ଦେବ କହିଥିଲେ । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗତ ବର୍ଷରେ ୨ଲକ୍ଷ ୫ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏହାକୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଅର୍ଥ ସଚିବ ଶ୍ରୀ ଦେବ ପ୍ରସ୍ତାବ ଦେଇଥିଲେ ।

Latest Posts

Don't Miss