କୁନୋ ଜାତୀୟ ପାର୍କରେ ବିରଳ ଚିତାବାଘଙ୍କୁ ଜଗିବ ସୁପର ସ୍ନିଫର ଡଗ ସ୍କ୍ୱାଡ୍, ୬ଟି କୁକୁରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ
ଭୋପାଳ: କୁନୋ ଜାତୀୟ ପାର୍କରେ ବିରଳ ଚିତାବାଘଙ୍କୁ ଜଗିବ ସୁପର ସ୍ନିଫର ଡଗ୍ ସ୍କ୍ୱାଡ୍ । ଗତ ୧୭ ତାରିଖରେ ନାମିବ୍ୟାରୁ ଆସିଥିବା ୮ଟି ଚିତାବାଘଙ୍କୁ ମଧ୍ୟପ୍ରଦେଶ କୁନୋ ପାର୍କରେ ରଖାଯାଇଥିବା ବେଳେ, ସେମାନଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ନଜର ରଖାଯାଇଛି । ଇଣ୍ଡୋତିବ୍ଦତୀୟ ସୀମା ପୋଲିସ ବାହିନୀ ବା ଆଇଟିବିପିର ଜାତୀୟ ତାଲିମ କେନ୍ଦ୍ରରେ ଏକ ପାଞ୍ଚ ମାସର ଜର୍ମାନ ସିଫର୍ଡ ଇଲୁ ସମେତ ୬ଟି କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଆସନ୍ତା ୭ ମାସ ମଧ୍ୟରେ ଇଲୁ ପ୍ରଶିକ୍ଷିତ ହେବ । ପ୍ରଥମ ତିନିମାସ ମୌଳିକ ତାଲିମ ଦିଆଯିବା ପରେ ଅନ୍ୟ ଚାରିମାସରେ ତାକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଆସନ୍ତା ବର୍ଷ ଏପ୍ରିଲରେ ବନ କର୍ମଚାରୀଙ୍କ ଗହଣରେ ଇଲୁ ରହିବା ସହ, ସେ ଯେପରି ଚିତାବାଘ ଗୁଡିକ ଉପରେ ନଜର ରଖିବ ସେଥିଲାଗି ଗୁରୁତ୍ୱ ଦିଆଯିବ । କେବଳ ଚିତା ନୁହନ୍ତି ବାଘ ଶିକାରୀଙ୍କ ଉପରେ ବି ନଜର ରଖିବ ଇଲୁ । ଚିତା ଓ କଲରାପତରିଆ ବାଘ ଚମଡା, ଅସ୍ଥି, ହାତୀ ଦାନ୍ତ, ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ, ରକ୍ତଚନ୍ଦନ ଆଦି ଚିହ୍ନଟ କରିବାରେ ଇଲୁ ସକ୍ଷମ ହେବ ବୋଲି କୁହାଯାଇଛି ।
ଆଇଟିବିପି ଅଧିକାରୀ ଈଶ୍ୱର ସିଂ ଦୁହାନ କହିଛନ୍ତି, ମୋଟ ୬ଟି ଜର୍ମାନ ସିଫର୍ଡଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି ଏବଂ ଏ କ୍ଷେତ୍ରରେ ସହାୟତା କରୁଛି ଟ୍ରାଫିକ ନାମକ ଏକ ବନ୍ୟଜନ୍ତୁ ବ୍ୟବସାୟ ରୋକିବା ଲାଗି ଉଦ୍ଦିଷ୍ଟ ଏକ ସଂସ୍ଥା । ଏହା ସହ ଓ୍ୱାର୍ଲଡ ଓ୍ୱାଇଡ ଫଣ୍ଡ ଫର ନେଚର ଇଣ୍ଡିଆ ମଧ୍ୟ ପ୍ରଶିକ୍ଷଣ କ୍ଷେତ୍ରରେ ସହାୟତା ଦେଉଛି । ପ୍ରଥମ ପର୍ଯ୍ୟାୟରେ ଇଲୁକୁ ମୁତୟନ କରାଯିବ । ଆଇଟିବିପି ଅଧୀନସ୍ଥ ଡଗ୍ ଟ୍ରେନିଂ ସେଣ୍ଟରରୁ ତାଲିମପ୍ରାପ୍ତ କୁକୁରମାନେ ବନ୍ୟଜନ୍ତୁ ସଂକ୍ରାନ୍ତ ଅପରାଧ ରୋକିବାରେ ସକ୍ଷମ ହେଉଛନ୍ତି । ଏହି ପ୍ରକ୍ରିୟାରେ ଚିତାଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଆଯାଇପାରିବ ବୋଲି ସେ କହିଛନ୍ତି ।
ରେଳବାଇ ନିରାପତ୍ତା ବାହିନୀ ବା ଆରପିଏଫ ପକ୍ଷରୁ ମଧ୍ୟ କେତେକ ସ୍ନିଫର ଡଗ୍ ସ୍କ୍ୱାଡଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନେ ବିରଳ ବନ୍ୟଜନ୍ତୁଙ୍କ ଚାଲାଣକୁ ଠାବ କରୁଛନ୍ତି । ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ୫ଟି ମାଈ ଥିବା ବେଳେ ୩ଟି ଅଣ୍ଡିରା ବାଘ ଅଛନ୍ତି । ସେମାନେ ପାର୍କର ପରିବେଶ ସହ ଖାପ ଖୁଆଇ ପାରୁଥିବା ସୂଚନା ମିଳିଛି । ବର୍ତ୍ତମାନ ଚିତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ଦେଖାଶୁଣା କରୁଛନ୍ତି ଏକ ପ୍ରାଣୀ ଚିକିତ୍ସକ ଟିମ୍ । ପ୍ରାୟ ଏକ ମାସ ପରେ ସେମାନଙ୍କୁ ୬ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଛଡ଼ାଯିବ ।