ଦକ୍ଷିଣ ଆଫ୍ରିକାରେ ବନ୍ୟା: ବର୍ତ୍ତମାନ ସୁଧା ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୪୦ ହଜାର ଲୋକ ବାସହରା

1 min read

ଡର୍ବାନ: ଦକ୍ଷିଣ ଆଫ୍ରିକାର ବନ୍ୟାରେ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆଉ ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । କାରଣ ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ ସହର ଡର୍ବାନର କିଛି ଅଂଶ ବନ୍ୟାଜଳରେ ଭାସି ଯାଇଛି । କେବଳ ସେତିକି ନୁହେଁ ରାସ୍ତାଘାଟ ମଧ୍ୟ ଧୋଇ ହୋଇଯାଇଛି । ଆଉ ଲଗାତାର ବର୍ଷା କାରଣରୁ ଡାକ୍ତରଖାନା ଏବଂ ଘର ଭିତରେ ପାଣି ପଶିଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଦକ୍ଷିଣ-ପୂର୍ବ ପ୍ରଦେଶର କ୍ୱାଜୁଲୁ-ନାତାଲ୍ (KZN) ରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି । ଏବଂ  ଭାରତ ମହାସାଗର ଉପକୂଳରେ ଅବସ୍ଥିତ ଡର୍ବାନ୍, ହାଇ ଆଲର୍ଟରେ ରହିଛି । ଏହାସହ ୩.୫ ମିଲିୟନ୍ ସହରରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଏନେଇ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ଶନିବାର ଦିନ ମୃତ୍ୟୁ ସଂଖ୍ୟା ୩୯୮କୁ ବୃଦ୍ଧି ପାଇଥିବାବେଳେ ୨୭ ଜଣ ନିଖୋଜ ଥିଲେ । ୪୦ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । ତେବେ ଏକ ରିପୋର୍ଟରେ କୁହାଯାଇଛି ଯେ, ବିଶେଷ କରି ଗ୍ରାମାଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ସେଠାରେ ବର୍ଷା ଲାଗି ରହିଥିବାରୁ ବନ୍ୟାର ସ୍ଥିତି ଆହୁରି ଭୟାବହ ହେବା ନେଇ ଦକ୍ଷିଣ ଆଫ୍ରିକା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।