ପୁଣି ଅନ୍ଧବିଶ୍ବାସର କୁପରିଣତି: ୧୬ବର୍ଷିୟା ଝିଅ କପାଳରେ ୨୨ଟି ଛୁଞ୍ଚି ପୂରାଇ ଦେଲା ଗୁଣିଆ

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଅନ୍ଧବିଶ୍ବାସର କୁପରିଣତି । ଦେବତାକୁ ଡରାଇବାକୁ ଯାଇ ୧୬ ବର୍ଷିୟା ଝିଅ କପାଳରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ଗୁଣିଆ । ସୁସ୍ଥହେବାକୁ ଗୁଣିଆ ପାଖକୁ ଯାଇ ଯୁବତୀ ଗୁରୁତର ହୋଇଛନ୍ତି । ଦେହ ଅସୁସ୍ଥ ହେବା ପରେ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ଯୁବତୀ । ଦୁଇ ହାତରୁ ୮ଟି ଛୁଞ୍ଚି ବାହାର କରିବା ପରେ ଏବେ ବି କପାଳରେ ୨୨ଟି ଛୁଞ୍ଚି ରହିଥିବା ଜଣାପଡ଼ିଛି। ଗୁଣିଆଁ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଏତଲା ପରେ ଗୁଣିଆକୁ ଗିରଫ କରାଯାଇଛି। ଅପରେସନ କରି ଝିଅ ମୁଣ୍ଡରୁ ଛୁଞ୍ଚି କଢ଼ାଯିବ ବୋଲି ଡାକ୍ତର କହିଛନ୍ତି ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଇଚ ଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଝିଅ ଭୟଭୀତ ହେଉଥିବା ବେଳେ ବେହୋସ ହୋଇପଡୁଥିଲା। ଏନେଇ କଣ୍ଟାବାଞ୍ଜି ଡାକ୍ତର ଖାନାରେ ଚିକିତ୍ସା କରାଇଥିଲେ ବାପା । ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିକିଥିଲା । ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଝଡାଫୁଙ୍କା କରିବାକୁ ଝିଅକୁ ନେଇଥିଲେ ବାପା । ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ। ମୁଣ୍ଡରେ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ନିଡିଲ ଆଣିଥିଲେ । ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ କାଢିବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ। ଝିଅକୁ ଗୁଣିଆ ତାଙ୍କ ସ୍ତ୍ରୀ ସହ ନେଇକି ଗୋଟିଏ କୋଠରୀରେ କିଛି ପୂଜା କରିଥିଲେ। ପୂଜା ପରେ ଝିଅ ସୁସ୍ଥ ହେବାରୁ ଘରକୁ ନେଇ ଯାଇଥିଲେ ପରିବାର । ହେଲେ କିଛି ଦିନ ପରେ ପୁଣି ସମାନ ସମସ୍ୟା ଦେଖାଯିବା ସହ ଝିଅର ହାତ କାଟି ରକ୍ତ ବାହାର କରିଯାଇଥିଲା । ଏନେଇ ଗୁଣିଆ ନିକଟକୁ ଯାଇ ଅଭିଯୋଗ କରିଥିଲେ ପରିବାର । ତେବେ ଗୁଣିଆ ବିରୋଧରେ ଥାନାରେ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଗୁଣିଆ ଝିଅର ମୁଣ୍ଡରେ ଛୁଞ୍ଚି ପୂରାଇଥିବା ଦେଖିବାକୁ ମିଳିଥିଲା ।