spot_img

Latest Posts

ଦୁର୍ଲଭ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ, ରାଘବ ଦାସ ମଠ ପକ୍ଷରୁ ଚାଲି ବେଶ ପ୍ରସ୍ତୁତି

ପୁରୀ : ଆସନ୍ତା ସୋମବାର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିର ସ୍ନାନ ବେଦୀରେ ସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସେଥିପାଇଁ ରାଘବଦାସ ମଠରେ ମହାପ୍ରଭୁଙ୍କ ଗଜାନନ ବେଶ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ହୋଇ ସ୍ନାନପୂର୍ଣ୍ଣିମାରେ ଶେଷ ହେବ । ସୋଲ, ଜରି, ଜମ୍ବୁରା, କଦଳିପାଟୁକା, କଇଁଥ ଅଠାରେ କାରିଗର ମାନେ ଶ୍ରୀଜିଉଙ୍କ ମନଲୋଭା ହାତୀବେଶ ପ୍ରସ୍ତୁତ କରୁଛନ୍ତି । ହାତୀବେଶର ବିଭିନ୍ନ ଅଂଶ କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଡାଳି, କାନ, ଥୋଡ, ହାଣ୍ଡିଆ ଆଦି ନିର୍ମାଣ ଜାରି ରହିଛି । କାରିଗରମାନେ ଅତି ନିଷ୍ଠା ଓ ପବିତ୍ରତାର ସହ ଏହି ବେଶ ପ୍ରସ୍ତୁତି କରୁଥିବା ବେଳେ ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ଧନ୍ୟ ମନେ କରିଛନ୍ତି ।

ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ହାତୀବେଶ ପ୍ରସ୍ତୁତ କରି କାହିଁ କେତେ ବର୍ଷ ହେବ ପ୍ରଦାନ କରାଯାଉଥିଲା । ତେବେ ଗତ କିଛିବର୍ଷ ହେବ କେବଳ ରାଘବ ଦାସ ମଠରେ ଏହି ବେଶ ନିର୍ମାଣ କରୁଛି । ରାଘବ ଦାସ ମଠ ପକ୍ଷରୁ ବେଶ ନିର୍ମାଣ ନେଇ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ଗତ କିଛି ବର୍ଷ ହେଲା ସାମଗ୍ରୀ ସବୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରିଗରଙ୍କୁ ଯୋଗାଇ ଦିଆଯାଉଥିବା ଜଣାପଡିଛି । ପବିତ୍ର ଦେବସ୍ନାନ ପୂର୍ଣ୍ନିମା ପାଇଁ ହାତୀବେଶ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେପଟେ ରଥଖଳାରେ ରଥନିର୍ମାଣ ମଧ୍ୟ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ।

Latest Posts

Don't Miss