ଗୌତମ ନାଭଲାଖାଙ୍କୁ ଗୃହବନ୍ଦୀ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏଲଗାର ପରିଷଦ- ମାଓବାଦୀ ଲିଙ୍କ ମାମଲା । ଜେଲରେ ଥିବା ସାମାଜିକ କର୍ମୀ ଗୌତମ ନାଭଲାଖାଙ୍କୁ ତାଙ୍କ ଘରେ ଗୃହବନ୍ଦୀ କରି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଗୃହବନ୍ଦୀ କ୍ଷେତ୍ରରେ କେତେକ ସର୍ତ୍ତ ଲାଗୁ କରିଛନ୍ତି କୋର୍ଟ । ଗୌତମଙ୍କ ମେଡିକାଲ ରିପୋର୍ଟକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଅଦାଲତ । ୪୮ ଘଣ୍ଟା ଭିତରେ ସମସ୍ତ ପ୍ରକ୍ରିୟା ଯାଞ୍ଚ କରି ଗୌତମଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ଗୃହବନ୍ଦୀ ସମୟରେ ପୋଲିସ ମୁତୟନ ଖର୍ଚ୍ଚ ଲାଗି ଆବଶ୍ୟକ ୨ ଲକ୍ଷ ୪୦ ହଜାର ଟଙ୍କା ଜମା କରିବା ଲାଗି ଗୌତମଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୃହବନ୍ଦୀ କାଳରେ ଏହି ସୁଯୋଗର ଅପବ୍ୟବହାର ନ କରିବା, ମୋବାଇଲ, ଇଣ୍ଟରନେଟ, ଲାପଟପ ଓ ଅନ୍ୟାନ୍ୟ କମ୍ୟୁନିକେସନ ବ୍ୟବସ୍ଥା ବ୍ୟବହାର ନ କରିବା ଲାଗି କୋର୍ଟ କହିଛନ୍ତି । ଦୈନିକ ତାଙ୍କୁ ଥରଟିଏ ଲାଗି ମାତ୍ର ୧୦ ମିନଟ ମୋବାଇଲ ବ୍ୟବହାର ସକାଶେ ଅନୁମତି ଦିଆଯିବ ।

ସପ୍ତାହରେ ଥରେ ତାଙ୍କ ପରିବାରର ଦୁଇ ସଦସ୍ୟଙ୍କୁ ଭେଟିବା ଲାଗି ଅନୁମତି ଦିଆଯିବ । ସେ ରହୁଥିବା ଘର ଓ ବାହାରେ ସିସିଟିଭି କ୍ୟାମେରା ଲାଗିବ । ଗୌତମ ଥିଲେ ବହୁଳ ପ୍ରସାରିତ ଇକୋନୋମିକ ଆଣ୍ଡ ପଲିଟିକାଲ ଓ୍ବିକିଲିର ଏଡିଟୋରିଆଲ କନସଲଟାଣ୍ଟ । ସେ ବର୍ତ୍ତମାନ ମହାରାଷ୍ଟ୍ରର ତାଲୋଜା ଜେଲରେ ଅଛନ୍ତି ।