ଡିପଫେକ୍ ଭିଡିଓର ଶିକାର ହେଲେ ସଚିନ, କହିଲେ..

1 min read

ମୁମ୍ବାଇ: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି । ଏକ ଗେମିଙ୍ଗ ଆପକୁ ପ୍ରୋତ୍ସାହନ କରୁଥିବା AI ଦ୍ବାରା ପ୍ରସ୍ତୁତ ହୋଇଛି । ଯେଉଁଥିରେ ସଚିନ କହିଛନ୍ତି କି, ତାଙ୍କ ଝିଅ ସାରା ଏହି ଗେମ୍ ଖେଳିବା ସହ ଭଲ ପଇସା ପାଇଛନ୍ତି । ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନଲାଇନ ଗେମକୁ ସଚିନଙ୍କ ପ୍ରୋତ୍ସାହନ କରୁଥିବା ଦେଖାଯାଉଥିବା ଏହି ଭିଡିଓରେ ଲୋକେ ବିଭିନ୍ନ କମେଣ୍ଟମାନ ଦେଇଥିବା ଦେଖିବାକୁ ମିଳିଛି । ବାସ୍ତବରେ କିନ୍ତୁ ସଚିନଙ୍କ ଡିପଫେକ୍ ଭାଇରାଲ ହେବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି କି, ଏହା ମୋର ଭିଡିଓ ନୁହେଁ ।

ସଚିନ ନିଜର ସୋସିଆଲ ମିଡିଆ ସାଇଟ୍ ଏକ୍ସ(ଟ୍ବିଟର)ରେ ଲେଖିଛନ୍ତି କି, ଏହି ଭିଡିଓ ନକଲି । ଆପଣମାନଙ୍କୁ ଭ୍ରମିତ କରିବା ପାଇଁ ଏଭଳି ଭିଡିଓ ପ୍ରସ୍ତୁତ କରାଯାଇଛି । ଟେକ୍ନୋଲୋଜିର ଭୁଲ ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଯିଏ ଏଭଳି ଭିଡିଓ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ଏବଂ ସମସ୍ତେ ଏଭଳି ବିଜ୍ଞାପନରୁ ଦୂରେଇ ରହିବା ଉଚିତ ବୋଲି ସଚିନ କହିଛନ୍ତି । ତେବେ କହି ରଖୁଛୁ କି, ପୂର୍ବରୁ ଏଭଳି ଅନେକ ଷ୍ଟାରଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ନିକଟରେ ଅଭିନେତ୍ରୀ ରଶ୍ମିକା ମାନ୍ଦନାଙ୍କ ଭିଡିଓ ଭାଇରାଲ ହୋଇଥିବାବେଳେ ବେଶ ଚର୍ଚ୍ଚା ହୋଇଥିଲା ।