୩ ମାସ ପରେ ବି ନିର୍ଣ୍ଣାୟକ ମୋଡରେ ପହଞ୍ଚିପାରୁନି ଋଷ-ୟୁକ୍ରେନ ଯୁଦ୍ଧ

କିଭ୍: ଯୁଦ୍ଧକୁ ପୂରିଲା ୯୫ ଦିନ । ନିର୍ଣ୍ଣାୟକ ମୋଡରେ ପହଞ୍ଚିପାରୁନି ଯୁଦ୍ଧ । ସେପଟେ ୟୁକ୍ରେନକୁ ଅସ୍ତ୍ର ଯୋଗାଣ ପ୍ରସଙ୍ଗରେ ଫ୍ରାନ୍ସ ଓ ଜର୍ମାନୀକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କହିଛନ୍ତି, ୟୁକ୍ରେନକୁ ଅସ୍ତ୍ର ଯୋଗାଣ ଯୁଦ୍ଧସ୍ଥିତିକୁ ଅଧିକ ବିପଜ୍ଜନକ କରୁଛି । ତୁରନ୍ତ ଅସ୍ତ୍ରଯୋଗାଣ ବନ୍ଦ ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଓ ଜର୍ମାନୀ ଚାନସେଲର ଓଲାଫ ସ୍କଜଙ୍କୁ ସତର୍କ କରାଇଛନ୍ତି ପୁଟିନ । ଏହାସହ ଅସ୍ତ୍ର ସହାୟତା ଯୋଗୁ ୟୁକ୍ରେନରେ ମାନବିକ ସମସ୍ୟା ଅଧିକ ଘନୀଭୂତ ହେଉଛି ବୋଲି ପୁଟିନ କହିଛନ୍ତି ।

ଋଷ ବିରୋଧରେ ଜାରି ପାଶ୍ଚାତ୍ୟ କଟକଣା ହଟାଗଲେ ହିଁ ବିଶ୍ବର ବିଭିନ୍ନ ଦେଶକୁ ଖାଦ୍ୟ ପଦାର୍ଥ ରପ୍ତାନି କରାଯିବ । ଏହାସହ ୟୁକ୍ରେନରୁ ମଧ୍ୟ ବିଭିନ୍ନ ସାମଗ୍ରୀର ରପ୍ତାନି ଲାଗି କୃଷ୍ଣ ସାଗର ଜଳପଥ ଉନ୍ମୁକ୍ତ କରିବାକୁ ଋଷ ପ୍ରସ୍ତୁତ ବୋଲି ପୁଟିନ କହିଛନ୍ତି । ବିଶ୍ବର ମୋଟ ଗହମ ରପ୍ତାନିର ୩୦ ଭାଗ କେବଳ ଋଷ ଓ ୟୁକ୍ରେନ କରୁଥିବା ବେଳେ ଗତ ଫେବ୍ରୁଆରୀରୁ ଏହା ବନ୍ଦ ହୋଇଯିବା ଯୋଗୁ ଶତାଧିକ ରାଷ୍ଟ୍ରରେ ଖାଦ୍ୟ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଯୁଦ୍ଧ ବନ୍ଦ ଲାଗି ସିଧାସଳଖ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା ଲାଗି ଉଭୟ ମାକ୍ରନ ଓ ସ୍କଜ ଋଷ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ।

ମାରିୟୁପୋଲ ଆଜଭୋସ୍ତଲ ଷ୍ଟିଲ ପ୍ଲାଣ୍ଟରେ ଆତ୍ମସମର୍ପଣ କରିଥିବା ୨,୫୦୦ ସୈନ୍ୟଙ୍କୁ ମୁକ୍ତ କରିଦେବା ଲାଗି ଦୁଇ ନେତା ମଧ୍ୟ ଦାବି କରିଛନ୍ତି । ସେପଟେ ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ପେଟ୍ରୋ ପୋରସେଙ୍କୋଙ୍କୁ ଦେଶ ଛାଡ଼ିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ୨୦୧୪ରୁ ୨୦୧୯ ଯାଏ ରାଷ୍ଟ୍ରପତି ଥିବା ପୋରସେଙ୍କୋ ୟୁରୋପୀୟ ରାଷ୍ଟ୍ର ସପକ୍ଷରେ ମତ ଦେଇ ଆସୁଥିଲେ ।