ଯୁଦ୍ଧ ବଳୟରେ ୟୁକ୍ରେନ, ୪ ଦିନରେ ୧୦ରୁ ଅଧିକ ଏୟାରଷ୍ଟ୍ରାଇକ କରିଛି ଋଷ

କିଭ୍: ଯୁଦ୍ଧର ବଳୟରୁ ମୁକୁଳି ପାରୁନି ୟୁକ୍ରେନ୍ । ଋଷର ରକେଟ ମାଡ଼ରେ ଧରାଶାୟୀ ହୋଇଗଲାଣି ୟୁକ୍ରେନ୍ । ଗତ ୪ ଦିନରେ ୧୦ରୁ ଅଧିକ ଏୟାରଷ୍ଟ୍ରାଇକ କରିଛି ଋଷ । ବିଭିନ୍ନ ସହରର ୪୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ୨୮୦ରୁ ଅଧିକ ଶିକ୍ଷାନୁଷ୍ଠାନ ଧ୍ୱଂସ ହେଲାଣି । ଋଷ୍ ୟୁକ୍ରେନରେ ଭାକ୍ୟୁମ୍ ବୋମା ବ୍ୟବହାର କରିଥିବା ନେଇ ସ୍ପଷ୍ଟୋକ୍ତି ଆସିଛି । ଟିଓଏସ ଓ୍ୱାନ୍ ଏ ଦ୍ୱାରା ୟୁକ୍ରେନ୍ ବ୍ୟାପକ କ୍ଷତି ହୋଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । କିନ୍ତୁ ଆମେରିକା ଏହାକୁ ଖଣ୍ଡନ କରିଛି ।

ଏହା ଭିତରେ ଋଷକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ୟୁକ୍ରେନରେ ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବାଇଡେନ୍ ଋଷକୁ ଚେତାଇ ଦେଇଛନ୍ତି । ୟୁକ୍ରେନ ପାଇଁ ଜରୁରୀକାଳୀନ ସହାୟତା ଘୋଷଣା କରିଛି ଆମେରିକା । ମାନବୀୟ ସହାୟତା ପାଇଁ ଆମେରିକା ସିନେଟରେ ୧୩.୬ ବିଲିୟନ ଅର୍ଥ ମଞ୍ଜୁର ହୋଇଛି । ସେପଟେ ଋଷକୁ ଆତଙ୍କୀ ରାଷ୍ଟ୍ର ଘୋଷଣା କରିବାକୁ ୟୁକ୍ରେନ ଦାବି କରିଛି । ୟୁକ୍ରେନ ରାଜଧାନୀ କିଭ୍ ଦଖଲ ଲାଗି ଆଗେଇଛନ୍ତି ଋଷ ସୈନ୍ୟ । କିଭଠାରୁ ମାତ୍ର ୧୦ ମାଇଲ ଦୂରରେ ଠୁଳ ହେଲେଣି ସୈନ୍ୟବାହିନୀ ।