ୟୁକ୍ରେନରୁ ସୁରକ୍ଷିତ ଫେରିଲେ ୪ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୟୁକ୍ରେନରୁ ସୁରକ୍ଷିତ ଭାବେ ଓଡ଼ିଶାରେ ପହଞ୍ଚିଲେ ୪ ଜଣ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ । ରାତି ସାଢ଼େ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାଲେଶ୍ୱରର ଅମନ କୁମାର, ଭୁବନେଶ୍ୱରର ଏମ୍ବିବିଏସ  ଛାତ୍ରୀ ସୁଭସ୍ମିତା ପ୍ରିୟଦର୍ଶିନୀ, ସମ୍ବଲପୁରର ଐଶ୍ବର୍ଯ୍ୟା ପାଣି, କେନ୍ଦ୍ରାପଡ଼ାର ଛାତ୍ର ବିକାଶ ଚନ୍ଦ୍ର ବେହେରା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପରିବାରଙ୍କୁ ଭେଟିବା ପରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ ସମସ୍ତେ । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ।

ସୂଚନା ଯୋଗ୍ୟ ଯେ, ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଆସି ଦିଲ୍ଲୀରେ ପହଞ୍ଚୁଛନ୍ତି । ସୁରକ୍ଷିତ ଭାବେ ଫେରିଆସିବା ପରେ ନିଜର ଅନୁଭୂତି ବଖାଣୁଛନ୍ତି । ଏହାସହ ଯେଉଁମାନେ ଫସରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍‌ରୁ ଫେରିବେ ଭାରତୀୟ  ।

ସେହିପରି ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି  । ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୁତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି । ଏପଟେ ୟୁକ୍ରେନ୍‌ରେ ଭାରତୀୟ ଦୁତାବାସକୁ ଖାଲି କରାଯାଇଛି  । କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଭାରତୀୟଙ୍କୁ ଯେଉକୌଣସି ଉପାୟରେ ୟୁକ୍ରେନ୍‌ ସୀମା ପର୍ଯ୍ୟନ୍ତ ଆସିବା ପାଇଁ କୁହାଯାଇଛି ।

Leave a Reply