ୟୁକ୍ରେନର ୩୦ଟି ବାୟୋଲ୍ୟାବରେ ଆମେରିକା ପ୍ରସ୍ତୁତି କରୁଛି ଜୈବିକ ଅସ୍ତ୍ର: ଋଷ

1 min read

ମସ୍କୋ: ଜୈବିକ ଅସ୍ତ୍ର ନେଇ ଆମେରିକା ବିରୋଧରେ ଋଷର ଗୁରୁତର ଅଭିଯୋଗ । ୟୁକ୍ରେନର ବିଭିନ୍ନ ଲାବରେଟୋରୀରେ ଆମେରିକା ଜୈବିକ ଅସ୍ତ୍ର ଲାଗି ଗବେଷଣା କରୁଛି ବୋଲି ଅଭିଯୋଗ କରିଛି ଋଷ । ଜୈବିକ ଅସ୍ତ୍ର ପ୍ରସଙ୍ଗରେ ଋଷର ଅନୁରୋଧ କ୍ରମେ ଜାତିସଂଘ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକରେ ଜୈବିକ ଅସ୍ତ୍ର ପ୍ରସଙ୍ଗରେ ଆଲୋଚନା ହୋଇଛି । ଋଷର ସ୍ଥାୟୀ ପ୍ରତିନିଧି ଭାସିଲି ନେବେନଜିଆ କହିଛନ୍ତି, ୟୁକ୍ରେନର ୩୦ଟି ବାୟୋଲ୍ୟାବରେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ସହାୟତାରେ ଅତି ବିପଦଜ୍ଜନକ ସାମରିକ ଜୈବିକ କାର୍ଯ୍ୟକ୍ରମ ଜାରି ରହିଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ପ୍ଲେଗ, ଆନ୍ଥ୍ରାକ୍ସ, କଲେରା ପ୍ରଜାତିର ଜୀବାଣୁ ପ୍ରସ୍ତୁତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ଜୈବିକ ଓ ବିଷାକ୍ତ ଅସ୍ତ୍ରଶସ୍ତ୍ର ନେଇ ଭାରତ ଉଦବେଗ ପ୍ରକାଶ କରିଛି । ବିଭିନ୍ନ ପକ୍ଷ ପାରସ୍ପରିକ ଆଲୋଚନା ଓ ସହଯୋଗିତା କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସମାଧାନ କରିବା ଉଚିତ ବୋଲି ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି ପ୍ରକାଶ କରିଛନ୍ତି । ଜୈବିକ ଅସ୍ତ୍ର ନେଇ ଅନେକ ବିପଦଜ୍ଜନକ ତଥ୍ୟ ପ୍ରକାଶ ପାଉଥିବା ବେଳେ ଜୈବିକ ଓ ବିଷାକ୍ତ ଅସ୍ତ୍ର ସମ୍ମିଳନୀ ବା BTWCର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହି ସମ୍ମିଳନୀର ଉଦ୍ଦେଶ୍ୟ ତୁରନ୍ତ କାର୍ଯ୍ୟକାରୀ ହେଉ ବୋଲି କହିଛନ୍ତି ତିରୁମୂର୍ତ୍ତି ।

ଅନ୍ୟପକ୍ଷରେ ରାଜନୈତିକ ଓ ଶାନ୍ତି ପ୍ରତିଷ୍ଠା ବ୍ୟାପାର ସଂକ୍ରାନ୍ତ ଜାତିସଂଘ ଯୁଗ୍ମସଚିବ ରୋଜମାରି ଡିକାର୍ଲୋ କହିଛନ୍ତି, ୟୁକ୍ରେନର ଦକ୍ଷିଣ, ପୂର୍ବ ଓ ଉତ୍ତରାଞ୍ଚଳର ଅନେକ ସହରରେ ସଶସ୍ତ୍ର ଋଷ ସୈନ୍ୟ ଆକ୍ରମଣ ଜାରି ରଖିଛନ୍ତି । ମାରିଓପୋଲ, ଖାରକିଭ୍, ସୁମି ଓ ଚେର୍ଣ୍ଣିହିବରେ ଆବାସିକ ଅଞ୍ଚଳଗୁଡିକ ଉପରେ ଋଷ ସୈନ୍ୟ ଆକ୍ରମଣ ଜାରି ରହିଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଋଷ କ୍ଲଷ୍ଟର ବୋମା ବ୍ୟବହାର କରୁଥିବା ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ପ୍ରମାଣ ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନ୍ତର୍ଜାତିକ ଆଇନ ଅନୁସାରେ ଜନବସତି ଅଞ୍ଚଳରେ ବୋମାମାଡ କରିବା ନିଷିଦ୍ଧ ହୋଇଥିବା ସତ୍ତ୍ବେ ଋଷ ଏହା ଜାରି ରଖିଛି ବୋଲି ସେ କହିଛନ୍ତି ।