ତେଲାଙ୍ଗାନା ସିଏମ ଦୌଡରେ ଆଗରେ ଅଛନ୍ତି ପିସିସି ସଭାପତି ରେବନ୍ତ ରେଡୀ

ହାଇଦ୍ରାବାଦ: ତେଲଙ୍ଗାନାରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚାଲିଛି ଅଙ୍କକଷା । ଯଦିଓ ଦାୟିତ୍ବ ନେଇଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ତଥାପି ଛିଣ୍ଡିପାରୁନି କଥା । ସିଏମ ଦୌଡରେ ଆଗରେ ଅଛନ୍ତି ପିସିସି ସଭାପତି ରେବନ୍ତ ରେଡୀ । ବିଆରଏସକୁ ଗାଦିଚ୍ୟୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ରେବନ୍ତ । କାମ ଦେଲା ୫୪ ବର୍ଷ ବୟସ୍କ ରେବନ୍ତଙ୍କ ମାଥମେଟିକସ । ସେ କାମାରେଡୀରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଲଢେଇ କରିଥିଲେ ।

ଅନ୍ୟ ଆସନ କୋଡାଙ୍ଗଲରେ ସେ ବିଜୟୀ ହୋଇଥିଲେ । ସେ ଏବେ ଲାଲକାଜଗିରିରୁ ସାଂସଦ ଅଛନ୍ତି । ସେ ତେଲଗୁ ଦେଶମ ପାର୍ଟିରୁ ବିଧାୟକ ଥିଲେ । ଟିଡିପି ତ୍ୟାଗ କରି ସେ କଂଗ୍ରେସରେ ସାମିଲ ହୋଇଥିଲେ । ସିଏମ ରେସରେ ଅଛନ୍ତି ମାଲ୍ଲୁ ଭଟ୍ଟି ବିକ୍ରମାର୍କା । କେସିଆରଙ୍କୁ ହଟାଇବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସେ ୧୪୦୦ କିଲୋମିଟର ପଦଯାତ୍ରା କରି ବିଆରଏସ ବିରୋଧରେ ପ୍ରମୁଖ ହାଓ୍ବା ସୃଷ୍ଟି କରିଥିଲେ । ୬୨ ବର୍ଷ ବୟସ୍କ ନେତାଙ୍କ ପିପୁଲସ ମାର୍ଚ୍ଚ କଂଗ୍ରେସ ଲାଗି ବେଶ୍ ସହାୟକ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ଉତ୍ତମ କୁମାର ରେଡୀ । ସେ ୨୦୨୧ ଜୁଲାଇ ଯାଏ ପିସିସି ସଭାପତି ଥିଲେ । କର୍ମୀଙ୍କ ମଧ୍ୟରେ ସେ ପ୍ରିୟପାତ୍ର ।