ଧର୍ମ ନ ବଦଳାଇଲେ ବିବାହ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: ଭିନ୍ନ ଧର୍ମରେ ବିବାହ କରୁଥିବା ଯୁବକ ଓ ଯୁବତୀଙ୍କୁ ନେଇ ଏକ ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ଯେପର୍ଯ୍ୟନ୍ତ ହିନ୍ଦୁ ପୁଅକୁ ବିବାହ କରୁଥିବା ମୁସଲିମ ଝିଅ ତା’ର ଧର୍ମ ପରିବର୍ତ୍ତନ କରିନାହିଁ, ସେପର୍ଯ୍ୟନ୍ତ ଉକ୍ତ ବିବାହ ଗ୍ରହଣୀୟ ନୁହେଁ । କିନ୍ତୁ ଉଭୟ ପରସ୍ପରର ସହମତିରେ ଏକାଠି ରହିପାରିବେ ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଏକ ଖଣ୍ଡପୀଠ ଜଣେ ୧୮ ବର୍ଷୀୟ ମୁସଲମାନ ଯୁବତୀ ଏବଂ ୨୫ ବର୍ଷୀୟ ହିନ୍ଦୁ ଯୁବକର ଆବେଦନ ଉପରେ ଶୁଣାଣି କରିଛନ୍ତି । ନିକଟରେ ଦୁଇଜଣ ଏକ ହିନ୍ଦୁ ମନ୍ଦିରରେ ବିବାହ କରିଛନ୍ତି । କିନ୍ତୁ ଯେପର୍ଯ୍ୟନ୍ତ ଯୁବତୀ ଜଣକ ହିନ୍ଦୁ ଧର୍ମ ଗ୍ରହଣ କରିନାହାଁନ୍ତି ସେପର୍ଯ୍ୟନ୍ତ ଏହି ବିବାହ ଅମାନ୍ୟ ବୋଲି କହିଛନ୍ତି ହାଇକୋର୍ଟ । କିନ୍ତୁ ଉଭୟ ସାବାଳକ ହୋଇଥିବାରୁ ପରସ୍ପର ଏକାସାଙ୍ଗରେ ରହିପାରିବେ ।

ସୂଚନା ମୁତାବକ ଉଭୟ ୧୫ ଜାନୁୟାରୀକୁ ଏକ ଶିବ ମନ୍ଦିରରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଧର୍ମ ଭିନ୍ନ ହୋଇଥିବାରୁ ଉଭୟଙ୍କ ପରିବାର ପକ୍ଷରୁ ଧମକ ମିଳିବାରୁ ଦୁଇଜଣ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୋଲିସରେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଉଭୟ କୋର୍ଟର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।

Leave a Reply