ଏଣିକି ବୟସାଧିକ ତଥା ଭିନ୍ନକ୍ଷମଙ୍କ ଘରେ ପହଞ୍ଚିବ ଭତ୍ତା ଟଙ୍କା

ଭୁବନେଶ୍ୱର: କୋହଳ ହେଲା ମଧୁବାବୁ ପେନସନ ଯୋଜନା ନିୟମ । ଏଣିକି ହିତାଧିକାରୀଙ୍କ ଘରକୁ ଯିବ ପେନସନ । ବୟସାଧିକ ତଥା ଭିନ୍ନକ୍ଷମ ହିତାଧିକାରୀଙ୍କ ଘରକୁ ଯିବ ପେନସନ । ସେପଟେ ବିତରଣ କେନ୍ଦ୍ରରେ ପେନସନ ପାଇବେ ଅନ୍ୟ ହିତାଧିକାରୀ । ଏ ନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଏଣିକି ସମସ୍ତ ହିତାଧିକାରୀ ପ୍ରତି ମାସ ୧୫ତାରିଖରେ ପେନସନ ପାଇବେ । ହିତାଧିକାରୀ ମାନେ ବ୍ୟାଙ୍କରୁ ପେନସନ ଆଣିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ବୟସାଧିକ ତଥା ଭିନ୍ନକ୍ଷମ ହିତାଧିକାରୀ ବ୍ୟାଙ୍କ ଯିବା ପାଇଁ ସକ୍ଷମ ହୋଇପାରୁନଥିଲେ । ହିତାଧିକାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ନିୟମ କୋହଳ କରିଛନ୍ତି । ପ୍ରତି ମାସର ନିଦ୍ଧିଷ୍ଟ ତାରିଖରେ ହିତାଧିକାରୀଙ୍କୁ ବିତରଣ କେନ୍ଦ୍ର ଏବଂ ବୟସାଧିକ ତଥା ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ଘରେ ପେନସନ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।