ଆନ୍ତଃ ସଂସଦୀୟ ସଂଘରେ ସସ୍ମିତଙ୍କ ଆହ୍ବାନ, ଶାନ୍ତ ଓ ସମୃଦ୍ଧ ବିଶ୍ବ ଗଠନ ପାଇଁ ‘ଅହିଂସା’ ମାର୍ଗ ଧରିବା

1 min read

ଭୁବନେଶ୍ବର: ସମଗ୍ର ପୃଥିବୀ ଏବେ ବହୁ ସମସ୍ୟାରେ ଛଟପଟ ହେଉଛି । ଆମ ଆଗରେ ବହୁ ଚାଲେଞ୍ଜ ଉଭା ହୋଇଛି । ଏହାର ସମାଧାନ ସହ ଆଗାମୀ ପିଢ଼ିକୁ ଏକ ଶାନ୍ତି ଓ ସହାବସ୍ଥାନର ପୃଥିବୀ ଉପହାର ଦେବାକୁ ଆମକୁ ମହାତ୍ଗା ଗାନ୍ଧିଙ୍କ ‘ଅହିଂସା’ ନୀତିକୁ ଗ୍ରହଣ କରିବାକୁ ହେବ । ‘ଗୋଟିଏ ବିଶ୍ବ ଗୋଟିଏ ପରିବାର’ ମନ୍ତ୍ରକୁ ଆପଣାଇଲେ ସାରା ପୃଥିବୀର କଲ୍ୟାଣ ସହ ବିକାଶ ଆଗକୁ ବଢ଼ିବ । ବିଭାଜିତ ବିଶ୍ବ ସମସ୍ୟାର ସମାଧାନ କରିପାରିବ ନାହିଁ ।

ଆମକୁ ଏକ ମନ ଏକ ପ୍ରାଣରେ ଚାଲେଞ୍ଜର ସମାଧାନ କରିବାକୁ ହେବ । ଆନ୍ତଃ ସଂସଦୀୟ ସଂଘ ବା ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ (ଆଇପିୟୁ)ରେ ଏ ଆହ୍ବାନ ଦେଇଛନ୍ତି ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଗୋଟିଏ ବିଶ୍ବ ଗୋଟିଏ ପରିବାର’ ନୀତିକୁ ଧରି ପରସ୍ପର ବିଶ୍ବାସକୁ ନେଲେ ଆମେ ସମଗ୍ର ବିଶ୍ବର ବହୁବିଧ ସମସ୍ୟାର ସମାଧାନ କରିପାରିବା ବୋଲି ଡ.ପାତ୍ର କହିଛନ୍ତି ।

ଲୁଆଆଣ୍ଡାଠାରେ ଅନୁଷ୍ଠିତ ଆନ୍ତଃ ସଂସଦୀୟ ସଂଘର ୧୪୭ତମ ଅଧିବେଶନରେ ସସ୍ମିତ କହିଲେ, ବିଶ୍ୱର ଯୁବବର୍ଗ ପୃଥିବୀରେ ଘଟୁଥିବା ପ୍ରତ୍ୟେକ ଘଟଣା ବାବଦରେ ଅବଗତ ଅଛନ୍ତି । ମଣିଷ ସମାଜର ଉନ୍ନତି ଓ ଅଭିବୃଦ୍ଧି ପାଇଁ ଚିନ୍ତା କରିବାର ଏ ହେଉଛି ପ୍ରକୃଷ୍ଟ ସମୟ । ଅବିଶ୍ୱନିୟତାକୁ ପଛରେ ପକାଇ ସମଗ୍ର ବିଶ୍ୱକୁ ଏବେ ଗୋଟିଏ ଆତ୍ମା, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ଲକ୍ଷ୍ୟରେ ଆଗକୁ ବଢିବାକୁ ପଡିବ ।

ଜି – 20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଉଲ୍ଲେଖ କରି ସେ ଆହୁରି କହିଛନ୍ତି , ବିଶ୍ୱ ଭାଗ ଭାଗ ହେଲେ ମାନବ ସମାଜ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଆଫ୍ରିକାନ ୟୁନିଅନକୁ ଜି-୨୦ରେ ସାମିଲ କରିବାକୁ ଭାରତ ପ୍ରସ୍ତାବ ଦେଇଥିଲା । ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ । ଏହା ଭାରତ ପାଇଁ କମ୍ ଗୌରବର କଥା ନୁହେଁ । ଭାରତ ବହୁ ସମୟରେ ଆତଙ୍କବାଦର ଶିକାର ହୋଇ ଆସିଛି । ସଂସଦ ଚାଲିଥିବା ବେଳେ ଆକ୍ରମଣ ହୋଇଛି । ମାତ୍ର ବିଡ଼ମ୍ବନା ଏଯାଏ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଜାତିସଂଘରେ ସହମତି ପ୍ରକାଶ ପାଇନି ।

ଏକ ଶାନ୍ତ ଓ ସମୃଦ୍ଧ ବିଶ୍ବଗଠନ ପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସିଛି । ବସୁଧୈବ କୁଟୁମ୍ବକମ ଓ ଗାନ୍ଧିଙ୍କ ଅହିଂସା ନୀତିକୁ ସମସ୍ତ ରାଷ୍ଟ୍ର ଆପଣାଇଲେ ଆମେ ନୂଆ ପିଢ଼ିକୁ ଏକ ଶାନ୍ତିର ପୃଥିବୀ ଉପହାର ଦେଇପାରିବା ବୋଲି ସସ୍ମିତ କହିଥିଲେ । ଉଲ୍ଲେଖଯୋଗ୍ୟ. ଆଇପିୟୁ ହେଉଛି ଏକ ଆନ୍ତର୍ଜାତିକ ସଂଗଠନ । ଭାରତ ପକ୍ଷରୁ ମନୋନୀତ ହୋଇ ସାଂସଦ ଡ. ପାତ୍ର ଏଥିରେ ଯୋଗଦାନ କରିଛନ୍ତି ।