ରାଜ୍ୟରେ ୩ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା। ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳୀ ତରଙ୍ଗାୟିତ ପବନ ପ୍ରଭାବରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଏହାସହ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ପାଇଁ ଗୁଳୁଗଳି ଅନୁଭୁତ ହେଉଛି। ତେବେ ୩ଦିନ ପରେ ରାଜ୍ୟରେ ବଦଳିବ ପାଗ। ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଶୀତ ଅନୁଭୁତ ହେବ।

କାର୍ତ୍ତିକରେ ଖରା ଛାଇ ଖେଳ। କେତେବେଳେ ହାଲୁକା ଥଣ୍ଡା ତ ପୁଣି କେତେବେଳେ ବର୍ଷା। ପୁଣି କେତେବେଳେ ଗରମ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ। ରାଜ୍ୟରେ ବାୟୁ ଚଳାଚଳର ଅସଙ୍ଗତି ପାଇଁ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ପଶ୍ଚିମା ଝଡ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି। ଆସନ୍ତାକାଲି ସକାଳ ଯାଏଁ ସୁନ୍ଦରଗଡ, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଭଳି ୨୨ଟି ଜିଲ୍ଲାରେ ବର୍ଷା ହୋଇପାରେ। ସେହିପରି କାଲି ଦକ୍ଷିଣ ଉପକୂଳ ଓଡ଼ିଶାର ୮ଟି ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୭ତାରିଖରେ ମଧ୍ୟ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆଜି ରାଜଧାନୀ ଭୁବନେଶ୍ବର ସମେତ ସଂଲଗ୍ନ ସହର ଗୁଡିକରେ ବର୍ଷା ହୋଇଛି ।

ସେପଟେ ଏବେ ଓଡ଼ିଶାକୁ ପୂର୍ବ ଦିଗରୁ ତରଙ୍ଗାୟିତ ଶୁଷ୍କ ଗରମ ପବନ ପ୍ରବେଶ କରୁଛି। ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଏହାସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଦିନରେ ଗୁଳୁଗୁଳି ଅନୁଭୁତ ହେଉଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ। ୩ଦିନ ପରେ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ବଢିବ। ରାତି ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ କିଛି ଦିନ ପାଇଁ ରାଜ୍ୟକୁ ଶୀତ ଫେରିବ ବୋଲି ଆକଳନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିର କୋରୁକୁଣ୍ଡାରେ ସର୍ବାଧିକ ୬୦ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୫୩, ସମ୍ବଲପୁର ରେଢାଖୋଲରେ ୩୯, ଯାଜପୁରରେ ୩୫.୫ ମିଲିମିଟର ବର୍ଷା ହୋଇଛି। ଟିଟିଲାଗଡରେ ସର୍ବାଧିକ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ୧୩ଡିଗ୍ରୀ ତାପମାତ୍ରା ରହିଛି।